ସୀମା ନିର୍ଦ୍ଧାରଣ ପାଇଁ ବୈଠକ ଏକ ଭେଳିକି : କଂଗ୍ରେସ

ଭୁବନେଶ୍ୱର, ଏନ୍ଏନ୍ଏସ୍: ୨୦୧୭ ଅଗଷ୍ଟ ୩୧ ତାରିଖରେ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ସୁବର୍ଣ୍ଣରେଖାରେ ବାଲି ଉତ୍ତୋଳନକୁ ନେଇ ବିବାଦ ପ୍ରସଙ୍ଗ ଏନଜିଟିକୁ ଯାଇଥିଲା। କେସ୍ ନମ୍ବର ୮୯/୨୦୧୭ (ଇ.ଜେଡ୍) ରେ ପଶ୍ଚିମବଙ୍ଗ ସରକାର, ଓଡ଼ିଶା ସରକାର ତଥା କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ପକ୍ଷକରି ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୁଦର୍ଶନ ଦାସ ଏକ ମାମଲା ଦାୟର କରିଥିଲେ।
୨୦୧୮ ସେପ୍ଟେମ୍ବର ୪ ତାରିଖରେ ଏନଜିଟି ଏହାର ଚୁଡାନ୍ତ ଶୁଣାଣି କରି ତାଙ୍କର ରାୟ ଶୁଣାଇଲେ। ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ ଖଣ୍ଡପିଠ ୨୩ ପୁଷ୍ଠାର ଏକ ରାୟ ଶୁଣାଇଲେ। ଏହା ଏକ ଐ୍ୟତିହାସିକ ରାୟ ଥିଲା ବୋଲି କଂଗ୍ରେସ ଭବନଠାରେ ଆୋୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୁଦର୍ଶନ ଦାସ ପ୍ରକାଶ କରିଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଓଡ଼ିଶା ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଥିଲା। ବେଆଇନ ବାଲି ଉତ୍ତୋଳନ ଦ୍ୱାରା ଲୋକଙ୍କର ହୋଇଥିବା କ୍ଷତି ଓ ନଦୀର ପର୍ଯ୍ୟାବରଣ ସମ୍ବନ୍ଧୀୟ କ୍ଷୟକ୍ଷତିକୁ ଆକଳନ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା, ବେଆଇନ ବାଲି ଉତ୍ତୋଳନ ଯେମିତି ଆଗକୁ ନହୁଏ, ସେଥିପ୍ରତି ଦୃଢ଼ ପଦକ୍ଷେପ ନେବା ଇତ୍ୟାଦି ଏହି ନିର୍ଦ୍ଦେଶନାମାର ଅନ୍ତର୍ଭୁକ୍ତ। ମାତ୍ର ରାଜ୍ୟ ସରକାରଙ୍କର ଅବହେଳା କାରଣରୁ ଦୁଇ ରାଜ୍ୟ ଭିତରେ ସୀମା ନିରୂପଣ ହୋଇପାରିନାହିଁ। ବାଲି ଖନନ ସୁବର୍ଣ୍ଣରେଖାରେ ବେଧଡ଼କ ଭାବରେ ଚାଲିଛି। ଏବେ ରାଜ୍ୟ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହୋଇଛି।୨୦୧୫ରୁ ଅଫିସରସ୍ତରୀୟ ବୈଠକ ବସି ଆସୁଛି। ମାତ୍ର କିଛି ଫଳ ମିଳିନାହିଁ। ଏବେ ପୁଣି ସେହି ବୈଠକ କେବଳ ଲୋକ ଦେଖାଣିଆ ଓ ଭେଳିକି ଦେଖାଇବାଭଳି। ରାଜ୍ୟ ସରକାରଙ୍କର ପାରିବା ପଣିଆ ଏହାଦ୍ୱାରା ପଦାରେ ପଡ଼ିଛି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।