ନୂଆଦିଲ୍ଲୀ,ଏଜେନ୍ସି: ନବନିର୍ବାଚିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସ୍ଙ୍କୁ ରବିବାର ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଏହାଛଡ଼ା ‘ଭାରତୀୟ-ଆମେରିକୀୟଙ୍କ ବିଜୟ ହୋଇଛି’ ବୋଲି କମଲା ହ୍ୟାରିସ୍ଙ୍କ ବିଜୟ ସମ୍ପର୍କରେ ସେ କହିଛନ୍ତି। ବାଇଡେନ୍ ଏବଂ ହ୍ୟାରିସ୍ ଭାଗ କରିଦିଆଯାଇଥିବା ରାଷ୍ଟ୍ରକୁ ଏକତ୍ର କରିବାକୁ ଚେଷ୍ଟା କରିବେ ବୋଲି ଆଶାପ୍ରକଟ କରିବା ସହ ପତ୍ର ଲେଖି ସେମାନଙ୍କୁ ସୋନିଆ ଶୁଭକାମନା ଜଣାଇଛନ୍ତି। ଗତ ଏକବର୍ଷ ଧରି ବିଶ୍ୱର ଅନ୍ୟ ଲୋକଙ୍କ ଭଳି ଭାରତବାସୀ ମଧ୍ୟ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାକୁଅଙ୍ଗେନିଭେଇଛନ୍ତି।
ଲୋକଙ୍କ ମଧ୍ୟରେ ବିଭାଜନ ଦୂର କରିବା, ଲିଙ୍ଗଗତ ସମାନତା, ବୈଶ୍ୱିକ ସହଯୋଗ ତଥା ସର୍ବଦା ଦେଶର ବିକାଶ ଦିଗରେ ପ୍ରୋତ୍ସାହନ ଦେବା ସମ୍ପର୍କରେ ବାଇଡେନ୍ ଦେଇଥିବା ଭାଷଣ ଆଶ୍ୱସ୍ଥି ପ୍ରଦାନ କରିଛି ବୋଲି ଚିଠିରେ ସୋନିଆ ଗାନ୍ଧୀ ଉଲ୍ଲେଖ କରିଛନ୍ତି। ଆଗକୁ ଭାରତ-ଆମେରିକା ମିଶି ଲୋକକଲ୍ୟାଣ ଦିଗରେ କାର୍ଯ୍ୟ କରିବେ ବୋଲି ସୋନିଆ ଚିଠିରେ ଆଶାପ୍ରକଟ କରିଛନ୍ତି। ଅନ୍ୟପଟେ ଏହା ଅଶ୍ୱେତ ଆମେରିକୀୟ, ମାନବତା, ସହୃଦୟତାର ବିଜୟ ବୋଲି ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଦେଇଥିବା ଅଭିନନ୍ଦନପତ୍ରରେ ସୋନିଆ ଗାନ୍ଧୀ ଉଲ୍ଲେଖ କରିଛନ୍ତି।