ଡୁଙ୍ଗୁରିପାଲିରେ ସୋଲାର ପ୍ଲାଣ୍ଟକୁ ନେଇ ବଢୁଛି ବିବାଦ: ସୁରକ୍ଷା ବାଡ଼ ଭାଙ୍ଗିଲେ ଲୋକେ, ଜଣେ ନିଖୋଜ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଡୁଙ୍ଗୁରିପାଲି ପଞ୍ଚାୟତରେ ଗତ କିଛି ଦିନ ହେବ ସୋଲାର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଅନେକ ବାଦବିବାଦ ଦେଖା ଦେଇଛି। ୧୨୫ ହେକ୍ଟର ତେଣ୍ଡଲିପାଲି ଓ ଡୁଙ୍ଗୁରିପାଲି ଠାରେ ଆଦିତ୍ୟ ବିର୍ଲା ଏକ ଘରୋଇ କମ୍ପାନୀ ଏହି ସୋଲାର ପ୍ଲାଣ୍ଟର କାର୍ଯ୍ୟକୁ ଆରମ୍ଭ କରିଛି। ଯାହା ଦ୍ଵାରା ଗ୍ରାମବାସୀ ମାନଙ୍କ ମଧ୍ୟରେ ଅନେକ ଅସନ୍ତୋଷ ପ୍ରକାଶ ପାଇଛି। ଗୋଚର ଜମିରେ ଏହି ପ୍ଲାଣ୍ଟ ନିର୍ମାଣ ହେବ ଏବଂ ସ୍ଥାନୀୟ ବେକାରୀ ଯୁବକ ମାନେ ଏହି ପ୍ଲାଣ୍ଟ ନିର୍ମାଣ ହେବା ଦ୍ଵାରା ନିଯୁକ୍ତି ସୁଯୋଗ ପାଇ ପାରିବେ।

ପୁଲିସର ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଗ୍ରାମବାସୀ ମାନେ ଆସି ଜେନେରେଟର, ଜିଆଇ ପୋଲ, ବେରୀକେଡ୍‌, କିଛି ସୋଲାର ଲାଇଟ, ମିକ୍ସଚର ମେସିନ ଭଳି ଅନେକ ସାମଗ୍ରୀକୁ ଭାଙ୍ଗିବା ସହ ୫ ଲକ୍ଷରୁ ଅଧିକ ସୋଲାର ପ୍ଲାଣ୍ଟର ମୂଲ୍ୟବାନ ସାମଗ୍ରୀକୁ ଭାଙ୍ଗିବା ସହ କିଛି ଚୋରି କରିନେଇଛନ୍ତି। ଏଥିସହ ଉକ୍ତ ପ୍ଲାଣ୍ଟରେ ସୁରକ୍ଷା କର୍ମଚାରୀ ଭାବେ ଥିବା କଳାହାଣ୍ଡି ଜିଲ୍ଲାର ଲୁକଣ ସାହୁ ମଧ୍ୟ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି। ଘଟଣା ସମ୍ପର୍କରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ତଦନ୍ତ କରୁଥିବା ନେଇ ସୂଚନା ଦେଇଛନ୍ତି।