ମୁମ୍ବାଇରେ ଆରମ୍ଭ ହେଲା ‘ଓଡିଶା ଇନଭେଷ୍ଟର୍ସ ମିଟ’

ଭୁବନେଶ୍ବର/ମୁମ୍ବାଇ,ଏନ୍ଏନ୍ଏସ୍: ଆଜି ମୁମ୍ବାଇରେ ଆରମ୍ଭ ହେଲା ‘ଓଡିଶା ଇନଭେଷ୍ଟର୍ସ ମିଟ’ । ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜି ଆଣିବା ପାଇଁ ଦେଶର ବିଶିଷ୍ଟ ଶିଳ୍ପପତିଙ୍କ ସହ ସିଧା ସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଗତକାଲି ଠାରୁ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଅଛନ୍ତି ।

ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗୃପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଓ ‘ୱାରେ ଇଞ୍ଜିନିୟର୍ସ ଲିଃ.’ର ଅଧ୍ୟକ୍ଷ ହିତେଶ ଚିମନଲାଲ ଦୋଶୀଙ୍କୁ ଭେଟିଥିଲେ । ପରେ ପରେ ଏକାଧିକ ପୁଞ୍ଜିପତିଙ୍କ ସହ ଆଲୋଚନା କରିଛନ୍ତି ।

ସେପଟେ ଏହାକୁ ନେଇ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ଚଳିତବର୍ଷ ଜୁନ ସୁଦ୍ଧା ଓଡିଶାକୁ ଆସିଛି ଅଧିକ ପୁଞ୍ଜି । ଜୁନ ସୁଦ୍ଧା ଓଡିଶାକୁ ୩୬ ହଜାର ୮୨୮ କୋଟି ଟଙ୍କାର ନିବେଶ ଆସିଛି । ସର୍ବଭାରତୀୟସ୍ତରରେ ଓଡିଶା ଶୀର୍ଷରେ ରହିଛି । ୨୦୨୦ରେ ଦେଶରେ ଓଡିଶା ଚତୁର୍ଥ ସ୍ଥାନରେ ଥିଲା । ୨୦୨୦ରେ ଓଡିଶାକୁ ୨୮ ହଜାର ୯୫୪ କୋଟି ଟଙ୍କା ପୁଞ୍ଜି ଆସିଥିଲା । ୨୦୨୧ରେ ଦ୍ବିତୀୟ ସ୍ଥାନକୁ ଉଠିଥିଲା ଓଡିଶା । ୨୦୨୧ରେ ୮୯ ହଜାର ୧୬୭ କୋଟି ଟଙ୍କାର ନିବେଶ ହୋଇଥିଲା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆନନ୍ଦ ମହିନ୍ଦ୍ରା ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟଧାରାକୁ ପ୍ରଶଂସା କରିଛନ୍ତି । ଟୁଇଟ କରି କହିଛନ୍ତି ନବୀନ ଜଣେ ବୁଦ୍ଧିମାନ, ଶାନ୍ତ ଓ ଆତ୍ମବିଶ୍ବାସୀ ବ୍ୟକ୍ତି। କଥା ନୁହେଁ କାମ ହିଁ ତାଙ୍କ ପରିଚୟ । ବିପର‌୍ୟ୍ୟୟ ପରିଚାଳନାରେ ସାରା ବିଶ୍ବର ମଡେଲ ନବୀନ ପଟ୍ଟନାୟକ ।