ଫାଟିଗଲା କମ୍ପାନୀ ପାଇପ୍‌, ଲୁହାଗୁଣ୍ଡ ପାଣି ମିଶି ବ୍ୟାପକ ଫସଲ ନଷ୍ଟ

ମାଲକାନଗିରି,ଏନ୍‌ଏନ୍‌ଏସ୍‌: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଆର୍କେଲର ମିତ୍ତଲ ଓ ନିପନ ଇଣ୍ଡିଆ ଲିମିଟେଡ କମ୍ପାନୀର ପାଇପ ଫାଟି ଯିବାରୁ ସେଥିରୁ ବାହାରିଥିବା ଲୁହାଗୁଣ୍ଡ ମିଶ୍ରିତ ପାଣି ଜମିରେ ମାଡ଼ି ଫସଲ ନଷ୍ଟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚିତ୍ରକୋଣ୍ଡା ବ୍ଲକର ବଡ଼ପଦର ପଞ୍ଚାୟତର ବାଙ୍ଗୁରୁପଡ଼ା ଓ ଖିଲଗୁଡ଼ା ଗ୍ରାମର କେତେକ ଚାଷୀ ଅଭିଯୋଗ କରିଛନ୍ତି ଯେ, ଉକ୍ତ କମ୍ପାନୀର ପାଇପ କୌଣସି କାରଣରୁ ଫାଟି ଯିବାରୁ ଲୁହାଗୁଣ୍ଡ ଓ କେମିକାଲ ମିଶ୍ରିତ ପାଣି ଏହି ଦୁଇ ଗ୍ରାମର ପ୍ରାୟ ୧୦ ଏକର ଜମିରେ ପ୍ରବେଶ କରିବାରୁ ତାଙ୍କ ଚାଷ ଜମି ଫସଲ ହୋଇଥିବା ପନିପରିବା, ମାଣ୍ଡିଆ, ଧାନ ଇତ୍ୟାଦି ଫସଲ ନଷ୍ଟ ହୋଇ ଯାଇଛି ।

ଏ ନେଇ କ୍ଷତିଗ୍ରସ୍ତ ଚାଷୀ ଜଗବନ୍ଧୁ କିର୍ସାନୀ, ସିତାରାମ ଖେମୁଡୁିଙ୍କ ସହ ଅନ୍ୟମାନେ ଅଭିଯୋଗ କରିଛନ୍ତି । ତେବେ ଏ ସମ୍ବନ୍ଧରେ କମ୍ପାନୀର ପିଆର୍‌ଓ ସୁରଜ ଝାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି କୌଣସି କାରଣ ବଶତଃ ଆମର କମ୍ପାନୀର ପାଇପ ଫାଟି ଯାଇଛି । ତେବେ ଉକ୍ତ ପାଣି ଯେଉଁ ଚାଷ ଜମିରେ ମାଡ଼ି ଯାଇ ଫସଲ ନଷ୍ଟ ହୋଇ ଯାଇଛି ସେମାନଙ୍କ ସମସ୍ତ କ୍ଷତିପୂରଣ କମ୍ପାନୀ ତରଫରୁ ଭରଣ କରାଯିବ ।