ମାର୍ଚ୍ଚ ସୁଦ୍ଧା ସରିବ ସ୍ୱର୍ଗଦ୍ୱାର ନବୀକରଣ, ସମୀକ୍ଷା କଲେ ଫାଇଭ୍‌-ଟି ସଚିବ

ପୁରୀ,ଏନ୍‌ଏନ୍‌ଏସ୍‌: ଭାରତର ୪ଟି ପ୍ରମୁଖ ପବିତ୍ର ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ରୂପେ ଜଣାଶୁଣା ପୁରୀକୁ ଏକ ନୂଆ ରୂପ ପ୍ରଦାନ ତଥା ସହରର ଐତିହାସିକ ପରିବର୍ତ୍ତନ ପାଇଁ ଚାଲିଛି ବ୍ୟାପକ ଉଦ୍ୟମ । ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୁରୀକୁ ଯଥାର୍ଥ ସ୍ଥାନ ଦେବାକୁ ଚାଲିଛି ପ୍ରୟାସ । ଏହି କ୍ରମରେ ସହରର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି । ଏହି ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ସ୍ୱର୍ଗଦ୍ୱାରର ପୁନଃ ବିକାଶ କାର୍ଯ୍ୟ ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ବୋଲି ସୂଚନା ମିଳିଛି । ଗତ ୧୭ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଐତିହ୍ୟ କରିଡ଼ର ପ୍ରକଳ୍ପର ସମୀକ୍ଷା କରି ଯିବା ପରେ ଆଜି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ପୁରୀ ପରିଦର୍ଶନରେ ଆସି ପୁରୀକୁ ଏକ ଉନ୍ନତ ଐତିହ୍ୟ ନଗରୀରେ ପରିଣତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

ଶ୍ରୀ ପାଣ୍ଡିଆନ ସ୍ୱର୍ଗଦ୍ୱାର, ବୁଲା ଗାଈଗୋରୁଙ୍କ ଥଇଥାନ ପାଇଁ ଉଦ୍ଦିଷ୍ଟ ଗୋଶାଳା, ଭିକାରୀମାନଙ୍କ ଆଶ୍ରୟସ୍ଥଳୀ, ଶ୍ରୀଜଗନ୍ନାଥ ଷ୍ଟାଡ଼ିୟମ, ନୀଳାଦ୍ରି ନିଳୟ ଓ ବାଙ୍କୀମୁହାଣ ଆଦିସ୍ଥଳୀ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରଳୟଙ୍କରୀ ‘ଫନି’ ବାତ୍ୟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ଏକ ବିଶ୍ୱ ଐତିହ୍ୟ ନଗରୀ ରୂପେ ଗଢ଼ି ତୋଳିବା ପାଇଁ ତାଙ୍କର ସଂକଳ୍ପ ଘୋଷଣା କରିଥିଲେ । ଏହି ଘୋଷଣା ଅନୁଯାୟୀ ସମ୍ପ୍ରତ୍ତି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଛି । ତନ୍ମଧ୍ୟରୁ ସ୍ୱର୍ଗଦ୍ୱାରର ଉନ୍ନତିକରଣ ଅନ୍ୟତମ ପ୍ରମୁଖ ଯୋଜନା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡର ଆର୍ଥିକ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଏହି କାର୍ଯ୍ୟ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଶେଷ ହେବ ।

ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ସ୍ୱରୂପ ସ୍ୱର୍ଗଦ୍ୱାରକୁ ଶବଦାହ ପାଇଁ ଆସୁଥିବା ମୃତକଙ୍କ ଆତ୍ମୀୟମାନଙ୍କ ଲାଗି ସେଡ଼୍ ଓ ଅନ୍ୟାନ୍ୟ ସୁବିଧାସୁଯୋଗର ବ୍ୟବସ୍ଥା କରାଯାଇଛି । ବଡ଼ଦାଣ୍ଡକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ବୁଲା ଗାଈଗୋରୁଙ୍କୁ ହରିହରାନନ୍ଦ ଗୁରୁକୂଳମ୍ ଆଶ୍ରମ ସ୍ଥିତ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଛି । ଇତି ମଧ୍ୟରେ ବଡ଼ଦାଣ୍ଡରୁ ୭୦୦ ବୁଲା ଗାଈଗୋରୁଙ୍କୁ ଗୋଶାଳା ସ୍ଥାନାନ୍ତର କରାଯାଇଥିବା ବେଳେ ଆସନ୍ତା ୧ମାସ ମଧ୍ୟରେ ଆଉ ୪୦୦ ଗାଈଗୋରୁଙ୍କୁ ସ୍ଥାନାନ୍ତର କରାଯିବ । ଗୋଶାଳାକୁ ସ୍ଥାନାନ୍ତରିତ ଗାଈଗୋରୁଙ୍କ ଖାଦ୍ୟର ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ । ସେହିଭଳି ବଡ଼ଦାଣ୍ଡର ଭିକାରୀମାନଙ୍କ ଥଇଥାନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ୱାରା ଭିକ୍ଷୁକମାନେ ମର୍ଯ୍ୟାଦାର ସହ ଜୀବନଯାପନ କରିପାରିବେ । ଏ ମଧ୍ୟରେ ବଡ଼ଦାଣ୍ଡରୁ ଉଦ୍ଧାର କରାଯାଇଥିବା ୫୦୦ ଭିକାରୀଙ୍କୁ ବିଭିନ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି ।

ଉଦ୍ଧାର କରାଯାଇଥିବା ଭିକାରୀମାନଙ୍କ ମଧ୍ୟରୁ ୧୫୦ଜଣ ସେମାନଙ୍କ ପରିବାର ସହ ପୁନଃ ମିଳିତ ହେଲେଣି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ପାଣ୍ଠି ଯୋଗାଇ ଦିଆଯାଉଛି । ଫାଇଭଟି ସଚିବ ଶ୍ରୀ ପାଣ୍ଡିଆନ ଆଜି ବାଙ୍କୀମୁହାଣ, ବ୍ଲୁ ଫ୍ଲାଗ ବିଚ ଏବଂ ନୀଳାଦ୍ରି ବିଚ୍ ମଧ୍ୟ ପରିଦର୍ଶନ କରିଥିଲେ । ଏହିସବୁ କାର୍ଯ୍ୟର ସମୀକ୍ଷା ସମୟରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମର କମିଶନର ଦ୍ୱୟ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ନିଜ ନିଜ ଅଞ୍ଚଳରେ ବୁଲା ଗାଈଗୋରୁ ଓ ଭିକାରୀମାନଙ୍କ ଥଇଥାନ ଦିଗରେ ପଦକ୍ଷେପ ଗ୍ରହଣ କରିବେ ।