ମାନବିକତାର ପରିଚୟ ଦେଲେ ସମିତି ସଭ୍ୟ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ମହିପଙ୍ଗା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତିକୁ ଉଦ୍ଧାର କରି ସମିତି ସଭ୍ୟ ମାନବିକତାର ପରିଚୟ ଦେଇଛନ୍ତି । ଆହତ ଜଣକ ହେଲେ ରାମନାଗୁଡ଼ା ବ୍ଲକ ଗୋଗୁପାଡୁ ପଞ୍ଚାୟତ ଅନ୍ତର୍ଗତ କଡ଼ାମାଡ଼ି ଗ୍ରାମର ସିଦ୍ଧାନ୍ତ ହିମିରିକା(୩୦) । ମିଳିଥିବା ରିପୋର୍ଟ ମୁତାବକ, ସିଦ୍ଧାନ୍ତ ଏକ ବାଇକ ଯୋଗେ ନିଜ ଘରୁ ରାମନାଗୁଡ଼ା ବଜାରକୁ କୌଣସି ଏକ କାର୍ଯ୍ୟରେ ଯିବା ସମୟରେ ମହିପଙ୍ଗା ନିକଟ ବୁଲାଣିରେ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରେ ଛିଟିକି ପଡ଼ିବାରୁ ଦୁର୍ଘଟଣା ଘଟିଥିଲା । ସେହି ସମୟରେ ଉକ୍ତ ରାସ୍ତା ଦେଇ ସୁଣ୍ଡିଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା ଓ ଗୁଲୁଣ୍ଠି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ଗୌଡ଼ ଯିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଦେଖି ଗୁରୁତର ଭାବେ ଆହତ ଥିବା ବ୍ୟକ୍ତି ସିଦ୍ଧାନ୍ତ ହିମିରିକାଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସିଦ୍ଧାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।