ସମାଡ଼ପଦର ଗ୍ରାମକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତ ସମାଡ଼ପଦର ଗ୍ରାମକୁ ଆଜି ଜିଲ୍ଲାପାଳ ସ୍ୱଧାଦେବ ସିଂ ଗସ୍ତ କରି ଗ୍ରାମର ସମସ୍ୟା ବୁଝିଛନ୍ତି। ପୂର୍ବରୁ ପୋମା ଟୁଡୁ ସମାଡ଼ପଦରକୁ ଯାଇ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଥିବା ବେଳେ ଦ୍ୱିତୀୟ ମହିଳା ଜିଲ୍ଲାପାଳ ରୂପେ ସ୍ୱଧାଦେବଙ୍କ ଗସ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ସମାଡ଼ପଦର ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରିନାହିଁ।

ପ୍ରଶାସନିକ ଅଧିକାରୀ ଖାଲି ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ଗ୍ରାମବାସୀଙ୍କ ଦୁଃଖ ଦୂର ହେଉନି। ଗ୍ରାମକୁ ଥିବା କଚ୍ଚା ସଡ଼କ ଲୋକଙ୍କ ଏକମାତ୍ର ଯାତାୟାତ ମାଧ୍ୟମ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ୪ ଚକିଆ ଯାନ ଉକ୍ତ ରାସ୍ତାରେ ଯାଇପାରେନି। ବର୍ଷା ଦିନେ ରାସ୍ତା ସାରା କାଦୁଅ ଦେଖିବାକୁ ମିଳେ। ଉକ୍ତ ରାସ୍ତାକୁ କଂକ୍ରିଟ ସଡ଼କ ନିର୍ମାଣ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଦୁଇ ତିନି ଗୋଟି ବିଭାଗଙ୍କ ସମନ୍ଵୟରେ କଂକ୍ରିଟ ଗାଡ଼ୱାଲ ଏବଂ କଂକ୍ରିଟ ସଡ଼କ ନିର୍ମାଣ କରିବା ନିଷ୍ପତି ନିଆଯାଇଛି।

ଆସନ୍ତା ଦୁଇ ତିନି ମାସ ମଧ୍ୟରେ ସମାଡ଼ପଦର ଗ୍ରାମକୁ ଅନ୍ତତଃ ଦୁଇ ଏବଂ ଚାରି ଚକିଆ ଯାନବାହାନ ଚଳାଚଳ ବ୍ୟବସ୍ଥା କରିବା କାର୍ଯ୍ୟ ହାତକୁ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଗସ୍ତ ବେଳେ ସରପଞ୍ଚ ଜାନକୀ ମାଝୀ, ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଭୀଷ୍ମ ମେହେର ପ୍ରମୁଖ ଉପସ୍ଥିତି ଥିଲେ।