କୂଅରୁ ଉଦ୍ଧାର ହେଲା ୧୫ ନାଗ ସାପ ଛୁଆ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଗଣେଶ ନଗରର ଏକ କୂଅରୁ ୧୫ ନାଗ ସାପ ଛୁଆ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଗଣେଶ ନଗରର ପ୍ରଶାନ୍ତ କୁମାର ଦାସଙ୍କ ଘର ବଗିଚା କୂଅରୁ ସାପ ଛୁଆଙ୍କୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନର ସଦସ୍ୟ। ଦାସ ବାବୁଙ୍କ ପତ୍ନୀ ପ୍ରତିଦିନ ଭଳି ଆଜି ବି ବଗିଚାରୁ ତୁଳସୀ ପତ୍ର ଆଣି ଘରେ ପୂଜା କରିବା ପାଇଁ ଯାଉଥିବା ବେଳେ କୂଅରେ ସାପ ଛୁଆ ଖେଳୁଥିବା ଦେଖିଥିଲେ। ଏହାପରେ ସେ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ।

ସଦସ୍ୟ ସ୍ୱାଧୀନ ସାହୁ, ସନ୍ଦିପ ସେଠୀ ଏବଂ ଶ୍ରୀକାନ୍ତ ନାହାକ ସେଠାରେ ପହଞ୍ଚି ଏକ ଘଣ୍ଟାର ପରିଶ୍ରମ ପରେ ୧୫ଟି ନାଗ ସାପ ଛୁଆକୁ ଉଦ୍ଧାର କରିଛନ୍ତି। ଏହା ପରେ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଛି।