ହୋଡିଙ୍ଗ ସୀମାନ୍ତରେ ମାଓବାଦୀଙ୍କ ଜାହିର, ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା

ନୂଆପଡା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ସିନାପାଲି ସୀମାକୁ ଲାଗି ରହିଖିବା ଛତିଶଗଡ଼ ରାଜ୍ୟର ମେନପୁର୍ ଥାନା ଅଞ୍ଚଳରେ ମାଓବାଦୀ ମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ସହସ୍ର ମାଓବାଦୀ ଅମାମୋରା ଗ୍ରାମର ପର୍ଶୁରାମ ଭୁଞ୍ଜିଆ (୩୫) ବୟସ ନାମକ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି। ଗତ ୧୬ ତାରିଖ ଦିନ ଯୁବକ ଜଣଙ୍କ ନିଜ ଜମିକୁ ଚାଷ କାର୍ଯ୍ୟ କରିବା ପାଇଁ ଯାଇଥିଲେ। ପରେ ଯୁବକ ଜଣଙ୍କ ଦାନ୍ତ ଘସି ଗାଧୋଇବା ପାଇଁ ନିକଟସ୍ଥ ବାଜିମୁଣ୍ତା ନାଳକୁ ଯାଇଥିବା ବେଳେ ସେଠାରୁ ମାଓବାଦୀ ମାନେ ଅପହରଣ କରି ନେଇଥିଲେ। ପରେ ଠେଙ୍ଗାରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିଲେ। ବିଳମ୍ବ ସମୟ ପର୍ଯ୍ୟନ୍ତ ପର୍ଶୁରାମ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା।

ଗତକାଲି ମୃତକଙ୍କ ଶବକୁ ଗାଁ’ ନିକଟରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ସେଠାରେ କିଛି ମାଓବାଦୀ ପୋଷ୍ଟରେ ଏସଡ଼ିକେ ସୋନାବେଡା ଧରମବନ୍ଧା ଓ କୋୟଲି ବେଡା ଖୋଲି ବସ୍ତର ଏରିଆ କମିଟି ବୋଲି ଉଲ୍ଲେଖ ରହିଛି। ମୃତକର ଶରୀରର ବିଭିନ୍ନ ସ୍ଥାନରେ ଠେଙ୍ଗାରେ ପିଟିପିଟି ହତ୍ୟା କରିବା ସହ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ମେନପୁର ପୁଲିସ ସୁତ୍ରରୁ ଜଣାପଡିଛି। ମେନପୁର୍ ପୁଲିସ ଦ୍ୱାରା ମାଓବାଦୀଙ୍କ ନାମରେ ମାମଲା ରୁଜୁକରି କୁମ୍ବିଂ ଅପରେସନକୁ ଜୋରଦାର କରିଥିବା ମେନପୁର ଥାନା ଅଧିକାରୀ ସତ୍ୟେନ୍ଦ୍ର ସିଂ ଶ୍ୟାମ ପ୍ରକାଶ କରିଛନ୍ତି।

ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏଠାରେ ସୁଚନାଯୋଗ୍ୟ ଯେ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଠାରୁ ୧୦ କିଲୋମିଟର ଦୂରବର୍ତ୍ତୀ ଅମାମୋରା ଗ୍ରାମ ସମ୍ପୂର୍ଣ୍ଣ ଭାବରେ ମାଓବାଦୀ ଅଧୌସିତ ଅଞ୍ଚଳ ଅଟେ। ଏହି ଅଞ୍ଚଳରେ ମାଓବାଦୀମାନେ ଡେରା ପକାଇ ପୂର୍ବରୁ ଅନେକ ହିଂସାକାଣ୍ତ ଘଟାଇ ଚାଲିଥିବା ବେଳେ ପୁଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରି ଆସୁଛନ୍ତି। ଦୀର୍ଘ ଦିନର ନିରବତା ପରେ ସୀମାନ୍ତରେ ପୁଣି ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ଉକ୍ତ ଅଞ୍ଚଳରେ ଛତିଶଗଡ଼ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି।