ନୋମ୍ପେନ୍,ଏଜେନ୍ସି: ସମାଜର ସୁରକ୍ଷା ଦିଗରେ କାର୍ଯ୍ୟ କରିଥିବା କାରଣରୁ ଦକ୍ଷିଣ ଏସିଆର କାମ୍ବୋଡିଆରେ ‘ମଗ୍ୱା’ ନାମକ ଏକ ମୂଷାକୁ ଶୁକ୍ରବାର ଗୋଲ୍ଡ ମେଡାଲ୍ ଦେଇ ସମ୍ମାନିତ କରାଯାଇଛି। ମଗ୍ୱା ନାମକ ଏହି ଆଫ୍ରିକୀୟ ମୂଷାଟିର ବୟସ ବର୍ତ୍ତମାନ ଆଠ ବର୍ଷରୁ କମ୍। ଏହା ସାଧାରଣ ମୂଷାଠାରୁ ଦେଖିବାକୁ ମଧ୍ୟ ବଡ଼। ଭର୍ଚୁଆଲ୍ ପ୍ରୋଗ୍ରାମ୍ରେ ପିପୁଲ୍ସ ଡିସ୍ପେନ୍ସାରୀ ଫର୍ ସିକ୍ ଆନିମଲ୍ସ(ପିଡିଏସ୍ଏ)ର ମହାନିର୍ଦ୍ଦେଶକ ମୂଷାଟିକୁ ସମ୍ମାନିତ କରିଥିଲେ।
ମଗ୍ୱାକୁ ‘ହିରୋ ର୍ୟାଟ୍’ ବୋଲି ଡକାଯାଏ। ସେ ଅତି ସହଜରେ ଲାଣ୍ଡମାଇନ୍ ଥିବା ଜାଗାକୁ ଠାବ କରିପାରେ। ବର୍ତ୍ତମାନ ସୁଦ୍ଧା ସେ ୩୯ରୁ ଊର୍ଦ୍ଧ୍ୱ ଲାଣ୍ଡ୍ମାଇନ୍ ଚିହ୍ନଟ କରିଥିବା ସହ ୨୮ଟି ଅଫୁଟା ଲାଣ୍ଡମାଇନ୍ ଉଦ୍ଧାର କରିବାରେ ସାହାଯ୍ୟ କରିଛି। ସୂଚନାଯୋଗ୍ୟ, ପ୍ରମୁଖ ପଶୁ ଚିକିତ୍ସା ସଂସ୍ଥାମାନଙ୍କ ମଧ୍ୟରୁ ୧୯୧୭ରେ ପ୍ରତିଷ୍ଠା ହୋଇଥିବା ବ୍ରିଟେନ୍ର ‘ପିଡିଏସ୍ଏ’ ଅନ୍ୟତମ। ପିଡିଏସ୍ଏ ପକ୍ଷରୁ ପଶୁମାନଙ୍କୁ ବାହାଦୂରୀ କାର୍ଯ୍ୟ ପାଇଁ ଗୋଲ୍ଡମେଡାଲ୍ ଦିଆଯିବା ପ୍ରଥା ୨୦୦୨ରୁ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପିଡିଏସ୍ଏ ପକ୍ଷରୁ ୩୦ରୁ ଊର୍ଦ୍ଧ୍ୱ ପଶୁଙ୍କୁ ସ୍ୱର୍ଣ୍ଣପଦକ ଦିଆହୋଇଛି।