କଣ୍ଟେନମେଣ୍ଟ ଜୋନ ଓ ସଟଡାଉନ ତଦାରଖ କଲେ ଜିଲ୍ଲାପାଳ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଓ ବ୍ରଜରାଜନଗର ଅଞ୍ଚଳରେ ଆଜି କଣ୍ଟେନମେଣ୍ଟ ଜୋନ ଓ ସଟଡାଉନର ସ୍ଥିତି ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତଦାରଖ କରିଛନ୍ତି। ଆଜି ଜିଲ୍ଲାପାଳ ଏବଂ ଏସପି ବିଭିନ୍ନ କଣ୍ଟେନମେଣ୍ଟ ଜୋନ ପରିଦର୍ଶନ କରି ଏଠାରେ ରହୁଥିବା ଲୋକଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ସେହିପରି କଣ୍ଟେନମେଣ୍ଟ ଜୋନରେ ଥିବା ଲୋକଙ୍କର ଯେପରି କୌଣସି ଅସୁବିଧା ହେବ ନାହିଁ ସେବିଷୟରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିବା ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ପ୍ରକାଶ କରିଛନ୍ତି। ତେବେ ଝାରସୁଗୁଡ଼ା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିନି। ଏବେ ମଧ୍ୟ ଜିଲ୍ଲାରେ ୨୩ରୁ ୨୪ ପ୍ରତିଶତ ସଂକ୍ରମିତ ରହିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା କିପରି ହ୍ରାସ ହେବ ସେଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରୁଛି। ଏଥିପାଇଁ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବା ସହ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ତୁରନ୍ତ କରାଯାଉଛି। ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ୨୫ଟି ଡାକ୍ତରୀ ଦଳ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି। ସେହିପରି ଆସନ୍ତାକାଲିଠୁ ଏକ ୧୦ ଜଣିଆ କେନ୍ଦ୍ରୀୟ ଡାକ୍ତରୀ ଦଳ ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବେ। କେଉଁ ରୋଗୀ ଘରେ ରହିବେ, କିଏ ଚିକିତ୍ସାଳୟକୁ ଯିବେ ଓ କିଏ କୋଭିଡ କେୟାର ସେଣ୍ଟରରେ ରହିବେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରି ଏହି ଦଳ ଉପଯୁକ୍ତ ପରାମର୍ଶ ଦେବେ ବୋଲି ଜିଲ୍ଲାପାଳ ଶ୍ରୀ ସାମଲ ସୂଚନା ଦେଇଛନ୍ତି। ସେହିପରି ସଟଡାଉନ ତଥା ଲକଡାଉନ ସମୟରେ ଜିଲ୍ଲା ପୁଲିସ ଲୋକଙ୍କ ସୁରକ୍ଷା ପାଇଁ ଦିନରାତି କାର୍ଯ୍ୟ କରିଆସୁଛି। ଲୋକେ କିପରି ନିୟମ ପାଳନ କରିବେ ସେଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପହରା ଦେବା ସହ ସୀମାରେ ମୁତୟନ ରହିଛି। ତେଣୁ ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରି ଲୋକେ ପୁଲିସ ଏବଂ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଏସପି ଶ୍ରୀ ଦାସ କହିଛନ୍ତି।

ପ୍ରକାଶଯୋଗ୍ୟ, କରୋନାକୁ ଆୟତ କରିବା ପାଇଁ ଜିଲ୍ଲାର ୭୧୦ଟି ସ୍ଥାନରେ ଏପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ କରାଯାଇଛି। ସେଥିମଧ୍ୟରୁ ୬୫୨ଟିରୁ କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହୃତ ହୋଇସାରିଥିବାବେଳେ ୫୮ଟି ସ୍ଥାନରେ କଣ୍ଟେନମେଣ୍ଟ କଟକଣା ବଳବତର ରହିଛି। ସେହିପରି ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ଗାଇଡଲାଇନ ଉଲ୍ଲଘଂନକାରୀଙ୍କଠାରୁ ୧ କୋଟି ୧୩ ଲକ୍ଷ ୫୭ ହଜାର ୪୦ ଟଙ୍କା ଫାଇନ ଆଦାୟ କରାଗଲାଣି। ମାସ୍କ ନ ପିନ୍ଧି ବାହାରେ ବୁଲୁଥିବା ୪୧ହଜାର ୩୦୦ଜଣଙ୍କଠାରୁ ୧କୋଟି ୧ଲକ୍ଷ ୭୭ ହଜାର ୫୪୦ ଟଙ୍କା ଆଦାୟ କରାଯାଇଥିବାବେଳେ ସାମାଜିକ ଦୂରତା ରଖିନଥିବା ୩,୩୭୨ ଜଣଙ୍କଠାରୁ ୧୧ ଲକ୍ଷ ୭୯ ହଜାର ୫ଶହ ଟଙ୍କା ଫାଇନ ଆଦାୟ ହୋଇଛି ।