ଫେରିଲା କରୋନା କଟକଣା: ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବାଧ୍ୟତାମୂଳକ

ମାଲକାନଗିରି,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହରି ଜାରି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ କରୋନା କଟକଣା ଜାରି କରାଯାଇଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ନୀତି ନିୟମ ଲାଗୁ କରାଯାଇଛି। ସମସ୍ତ ଜନସାଧାରଣ, ଦୋକାନୀ ଓ ବ୍ୟବସାୟୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦୋକାନ ସାମ୍ନାରେ ଦୌଡ଼ି ବାନ୍ଧିବାକୁ ସମସ୍ତ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନକୁ ଆସୁଥିବା ଗ୍ରାହକ ଯଦି ମାସ୍କ ପିନ୍ଧିନଥାନ୍ତି, ତା’ହେଲେ ସେମାନଙ୍କୁ ମାସ୍କ ବ୍ୟବହାର କରିବା ପାଇଁ କହିବା ସହ ଜୋରିମାନା ଆଦାୟ କରାଯିବ। ହୋଟେଲ ଓ ରେଷ୍ଟୁରାଣ୍ଟରେ ଭିଡ଼ ହେଲେ ତାହା ସିଲ୍ କରିଦିଆଯିବାକୁ ନିଷ୍ପତ୍ତିି ନିଆଯାଇଛି। ମାସ୍କ ବ୍ୟବହାର କରୁନଥିବା ଲୋକଙ୍କଠାରୁ ୫୦୦ ରୁ ୧୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବା ସହ ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ମାସ୍କ ବ୍ୟବହାର କରି ଠାକୁର ଦର୍ଶନ କରିବାକୁ ଅନୁରୋଧ କରାଯାଇଛି। ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯାନିଯାତ୍ରା ଓ ମହୋତ୍ସବକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ଏହି ସବୁ ନିୟମର ଅବମାନନା କଲେ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ସଂକ୍ରମଣ ସମୟରେ ଜନସାଧାରଣ ଯେଉଁଭଳି ଭାବେ ଜିଲ୍ଲା ପ୍ରଶାସନକୁ ସମର୍ଥନ କରିଥିଲେ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସେହିଭଳି ଭାବେ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି।