ରେଳ ଧାରଣା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ଲୁହୁରାପଡ଼ା ନିକଟସ୍ଥ ହାୱଡ଼ା-ମୁମ୍ବାଇ ରେଳଧାରଣା ନିକଟରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ରେଳବାଇ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଲୁହୁରାପଡ଼ାର ମନୁପ୍ରସାଦ ଗୁପ୍ତାଙ୍କ ପୁଅ ବିଶାଲ ଗୁପ୍ତା(୨୨) ବୋଲି ତାଙ୍କ ବଡ଼ ଭାଇ ରାକେଶ ଗୁପ୍ତା କହିଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଗତକାଲି ସଂଧ୍ୟାରେ ବିଶାଳଙ୍କୁ ତାଙ୍କ ପଡ଼ାର ଆଉ ଜଣେ ଯୁବକ ନିକଟସ୍ଥ ଏକ ସ୍ଥାନକୁ ବୁଲିବାକୁ ଯିବା କହି ଘରୁ ଡାକି ନେଇଥିଲା। ଘର ଲୋକଙ୍କ ବାରଣ ସତ୍ୱେ ବିଶାଲ ଉକ୍ତ ଯୁବକଙ୍କ ସହ ଯାଇଥିଲେ। ହେଲେ ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ତେବେ ଆଜି ସକାଳେ ବିଶାଳଙ୍କ ମୃତଦେହ ରେଳ ଧାରଣା ନିକଟରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାରବର୍ଗ ଓ ରେଳବାଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ବିଶାଲଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଳବାଇ ପୁଲିସ ପକ୍ଷରୁ କୁହାଯାଇଛି।