୯ କୋଇଲା ଚୋର ଗିରଫ: ୨ କୁଇଂଟାଲ କୋଇଲା ଓ ୯ ମୋଟରସାଇକେଲ ଜବତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବଡ଼ମାଲ ପୁଲିସ ଆଜି ୯ଜଣ କୋଇଲା ଚୋରଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ପ୍ରାୟ ୨କୁଇଂଟାଲ କୋଇଲା ଓ ୯ଟି ମୋଟରସାଇକେଲ ଜବତ କରିଛି। ଗିରଫ ଅଭିଯୁକ୍ତ ତାରିଣି ରୋହିଦାସ(୨୪), ସୁଶାନ୍ତ ରୋହିଦାସ(୨୯), ରଞ୍ଜିତ ରୋହିଦାସ(୨୪), ଶଙ୍କର ରୋହିଦାସ (୫୫), ଲିଙ୍ଗରାଜ ରୋହିଦାସ(୪୦), ହୀରାଲାଲ ରୋହିଦାସ(୩୨), ଟଙ୍କଧର ରାଉତ(୩୧), ଟଙ୍କଧର ଦୀପ(୨୫) ଓ ଛବିଳ ରୋହିଦାସ(୪୨) ବୋଲି ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ଆଜି ସକାଳେ ବଡ଼ମାଲ ପୁଲିସ ପକ୍ଷରୁ ମୋଟରସାଇକେଲ ଯାଞ୍ଚ ପାଇଁ ବିଜୁ ପଟ୍ଟନାୟକ ଛକ ନିକଟରେ ପେଟ୍ରୋଲିଂ କରାଯାଉଥିଲା। ଏହିସମୟରେ ପ୍ଲାଷ୍ଟିକ ବସ୍ତାରେ କୋଇଲା ଭର୍ତି କରି କିଛି ବ୍ୟକ୍ତି ଝାରସୁଗୁଡ଼ା ପଟୁ ବଡ଼ମାଲ ପଟକୁ ମୋଟରସାଇକେଲରେ ଯାଉଥିବା ପୁଲିସ ଦେଖିଥିଲା। ପୁଲିସ ସମସ୍ତ କୋଇଲା ବୋଝେଇ ବାଇକକୁ ଅଟକ ରଖି କୋଇଲା ପରିବହନର କାଗଜପତ୍ର ଦେଖାଇବା ପାଇଁ କହିଥିଲା। ଅଭିଯୁକ୍ତମାନେ କୌଣସି କାଗଜପତ୍ର ଦେଖାଇ ନପାରି ବେଆଇନ ଭାବରେ କୋଇଲା ଚାଲାଣ କରୁଥିବାଲ ସ୍ୱୀକାର କରିଥିଲେ। ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।