ମୁନିଗୁଡ଼ାରେ ବର୍ଷାର ତାଣ୍ଡବ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ନିୟମଗିରି ପାର୍ବତ୍ୟାଞ୍ଚଳ ମୁନିଗୁଡ଼ାରେ ଆଜି ଦିନ ତମାମ ବର୍ଷା ଜାରି ରହିଛି । ଫଳରେ ମୁନିଗୁଡ଼ା ମୁଖ୍ୟ ରାସ୍ତା ମୁନିଗୁଡ଼ା-ଭବାନୀାଟଣା ଏବଂ ମୁନିଗୁଡ଼ା-ବାଲିଗୁଡ଼ା ରାସ୍ତା ଜଳମଗ୍ନ ହୋଇଯାଇଛି । ବର୍ଷା ଦିନର ବହୁ ପୂର୍ବରୁ ଗଣମାଧ୍ୟମ ତରଫରୁ ବିଭିନ୍ନ ଖବରକାଗଜରେ ସତର୍କ କରାଯାଇଥିଲେ ମଧ୍ୟ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନାହିଁ । ସେଥିପାଇଁ ଆଜି ମୁନିଗୁଡ଼ାରେ ବର୍ଷା ଜଳ ନିଷ୍କାସନ ହୋଇପାରିନି । ମୁନିଗୁଡ଼ା ଗ୍ରାମପଞ୍ଚାୟତ ଓ ବ୍ଲକ ପ୍ରଶାସନ ମୁନିଗୁଡ଼ା ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ପାଇଁ ତୁରନ୍ତ ଡ୍ରେନ ସଫା କରିବାକୁ ବିଭିନ୍ନ ମହଲରୁ ଦାବୀ ହୋଇଛି । ଅନେକ ଖାଲୁଆ ଅଞ୍ଚଳର ଥିବା ଗରିବ ଲୋକଙ୍କ କଚ୍ଚା ଘର ପାଣି ଘେରରେ ରହିଥିବା ଦେଖିବାକୁ ମିଳୁଛି । ତେଣୁ ଯଥାଶୀଘ୍ର ପାଣି ନିଷ୍କାସନ କରାନଗଲେ ଆଉ ଏକ ମହାମାରୀର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।