ଉତ୍ତର ପ୍ରଦେଶରେ ବନ୍ୟା: ଡଙ୍ଗାରେ ବସି ପ୍ରଭାବିତ ଅଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ବାରାଣସୀ,ଏଜେନ୍ସି: ଉତ୍ତର ପ୍ରଦେଶରେ ବନ୍ୟାର ପ୍ରକୋପ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଡଙ୍ଗାରେ ବସି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଅଧିକାରୀଙ୍କୁ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟରେ ରାଜ୍ୟରେ ବନ୍ୟାର ପ୍ରଭାବ ବଢ଼ିବାରେ ଲାଗିଛି। ବନ୍ୟା ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଗୁରୁବାର ଯୋଗୀ ଏରିୟଲ ସର୍ଭେ କରିଛନ୍ତି।

ବାରାଣସୀରେ ବନ୍ୟା ଯୋଗୁଁ ବିପର୍ଯ୍ୟୟ ସ୍ଥିତି ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଦିନିକିଆ ଗସ୍ତରେ ବାରାଣସୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗଙ୍ଗା ଓ ବରୁଣ ନଦୀରେ ଆସିଥିବା ବନ୍ୟାଜଳ ଉପରେ ଅବଗତ ହୋଇଥିଲେ। ପ୍ରଭାବିତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏନଡିଆରଏଫର ଡଙ୍ଗାରେ ଯାତ୍ରା କରିଥିଲେ। ସେଠାରେ ସେ ବନ୍ୟା ପ୍ରଭାବିତ ଲୋକଙ୍କ ସହିତ କଥା ହୋଇଥିଲେ। ବନ୍ୟା ସମୟରେ କରୋନା ସଂକ୍ରମଣ ଯେଭଳି ନବ୍ୟାପିବ, ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ସେ ଅଧିକାରୀମାନଙ୍କୁ ସ୍ଥିତି ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।