ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ: ଲର୍ଡସ୍‌ରେ କେଏଲ୍‌ ରାହୁଲଙ୍କ ଇତିହାସ

ନୂଆଦିଲ୍ଲୀ,ଏଜେନ୍ସି: ଟିମ୍‌ ଇଣ୍ଡିଆର ଓପନର କେଏଲ୍‌ ରାହୁଲ ଲର୍ଡସ୍‌ ଟେଷ୍ଟରେ ଶତକ ମାରି ଇତିହାସ ରଚିଛନ୍ତି। ଦୁଇ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରୁ ଦୂରେଇ ରହିଥିବା ରାହୁଲ ଲର୍ଡସର ଐତିହାସିକ ମୈଦାନରେ ନିଜ କ୍ୟାରିୟରର ଷଷ୍ଠ ଶତକ ଲଗାଇଛନ୍ତି। ଗତ ୩୧ ବର୍ଷ ମଧ୍ୟରେ କେଏଲ ରାହୁଲ ଏକମାତ୍ର ଭାରତୀୟ କ୍ରିକେଟର ଯିଏକି ଲର୍ଡସରେ ଶତକ ମାରିଛନ୍ତି।

ଲର୍ଡସ୍‌ ଗ୍ରାଉଣ୍ଡରେ ଶେଷ ଥର ପାଇଁ କୌଣସି ଭାରତୀୟ ଓପନର ୧୯୯୦ରେ ଶତକ ମାରିଥିଲେ। କେଏଲ ରାହୁଲ ୩ ବର୍ଷ ପରେ ଟେଷ୍ଟରେ ୧୦୦ ରନ୍‌ ପୂରା କରିଛନ୍ତି। ୨୦୧୮ରେ ସେ ଓଭଲ୍‌ ମୈଦାନରେ ୧୪୯ ରନ୍‌ର ପାଳି ଖେଳିଥିଲେ। ୧୨ଟି ପାଳିରେ ସେ ଅର୍ଦ୍ଧଶତକ ମାରିବାରେ ବିଫଳ ହେବାରୁ ତାଙ୍କୁ ଟେଷ୍ଟ ଟିମରୁ ବାହାରେ ରହିବାକୁ ପଡ଼ିଥିଲା।

୨ ବର୍ଷ ପରେ ତାଙ୍କୁ ସୁଯୋଗ ମିଳିଥିଲା। ନର୍ଟିହାମ୍‌ ଟେଷ୍ଟରେ ମୟଙ୍କ ଅଗ୍ରଓ୍ବାଲ୍‌ ଆହତ ହେବାରୁ ତାଙ୍କୁ ଓପନିଂ କରିବାକୁ ସୁଯୋଗ ମିଳିଥିଲା। ସେହି ମ୍ୟାଚରେ ସେ ୮୪ ରନ୍‌ କରିଥିଲେ। ଇଂଲଣ୍ଡ ବିପକ୍ଷରେ ଭାରତ ଖେଳୁଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଲର୍ଡସରେ ଖେଳାଯାଉଛି। ଏବେ ସୁଦ୍ଧା ଦଳ ୩ ଓ୍ବିକେଟ ବିନିମୟରେ ୨୭୬ ରନ୍‌ ସଂଗ୍ରହ କରିଛି। କ୍ରିଜ୍‌ରେ ଏବେ ରାହୁଲ ଏବଂ ରାହାଣେ ବ୍ୟାଟିଂ କରୁଛନ୍ତି। ଏହି ମ୍ୟାଚରେ ରୋହିତ ଶର୍ମା ୧୪୫ ବଲରେ ୮୩ ରନ କରି ପାଭିଲିଅନକୁ ଫେରିଥିଲେ। ତାଙ୍କ ପରେ ଚିତେଶ୍ୱର ପୁଜାରା ୨୩ ବଲରେ ୯ ରନ୍ ଓ ଅଧିନାୟକ ବିରାଟ କୋହଲି ୧୦୩ ବଲରେ ୪୨ ରନର ପାଳି ଖେଳିଥିଲେ। ତେବେ ଓପନିଂ ଭାବେ ରୋହିତ ଶର୍ମାଙ୍କ ସହ ଆସିଥିବା କେ ଏଲ ରାହୁଲ ଏପର୍ଯ୍ୟନ୍ତ ପଡ଼ିଆରେ ଅପରାଜିତ ରହିଛନ୍ତି। ରାହୁଲ ୨୪୮ ବଲ ଖେଳି ୧୨୭ ରନ ଓ ଅଜିଙ୍କ୍ୟା ରାହଣେ ୨୨ ବଲରେ ୧ ରନ କରି ଅପରାଜିତ ରହିଛନ୍ତି। ଏଥିସହ ଭାରତ ଇଂଲଣ୍ଡକୁ ଏକ ବଡ଼ ପାଳି ଦେବ।