ମେଗା ଓମଫେଡ୍ ଡାଏରୀ ପ୍ଳାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ: ୨ ଲକ୍ଷ ଲିଟର ଗୁଣ୍ଡ ଦୁଗ୍ଧର ମଧ୍ୟ ହେବ ଉତ୍ପାଦନ

କଟକ,ଏନ୍ଏନ୍ଏସ୍: ଦୁଗ୍ଧ ଉତ୍ପାଦନର ନୂଆ ଯୁଗ। କଟକ ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ଲାଣ୍ଟରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍‌ଧ ଉତ୍ପାଦନ ହେବ। ପରେ ୧୦ ଲକ୍ଷ ଲିଟରକୁ ବୃଦ୍ଧି ପାଇବ ଉତ୍ପାଦନ। ସେହିପରି ଦୈନିକ ୨ ଲକ୍ଷ ଲିଟର ଗୁଣ୍ଡ ଦୁଗ୍‌ଧ ଉତ୍ପାଦିତ ହେବ। ୨୬୩ କୋଟି ଟଙ୍କା ବ୍ୟୟରେ ହୋଇଛି ଏହି ଦୁଗ୍‌ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ। ଏଥିରେ ନିଯୁକ୍ତି ବଢିବା ସହ ୬ ଲକ୍ଷ ଦୁଗ୍‌ଧ ଚାଷୀ ଉପକୃତ ହେବେ। ସ୍କୁଲ, କଲେଜ, ଛାତ୍ରଛାତ୍ରୀଙ୍କ ସହ ବହୁ ପରିଦର୍ଶକ ବୁଲି ପାରିବେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଏହି ପ୍ଲାଣ୍ଟ ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନ, ବଣ୍ଟନ ଓ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବ।

ଏହି ଅତ୍ୟାଧୁନିକ ପ୍ଳାଣ୍ଟର ଲୋକାର୍ପଣ ଅବସରରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓମ୍‌ଫେଡର ବିକାଶରେ ପ୍ରାୟ ୩ ଲକ୍ଷ ଚାଷୀଙ୍କ ଅବଦାନ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ସେମାନଙ୍କ ସ୍ୱର୍ଥ ରକ୍ଷା ନେଇ ଓମଫେଡ୍ କାର୍ଯ୍ୟ କରିଆସୁଛି। ଏହି ପ୍ଳାଣ୍ଟରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍ଧ ପ୍ରସେସିଂ କରାଯିବା ସହ, ସ୍କିମ୍ଡ ମିଲ୍ , ପନୀର ଓ ଫ୍ଳେଭର ମିଲ୍କ ମଧ୍ୟ ଉତ୍ପାଦନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଦ୍ୱାରା ଚାଷୀମାନଙ୍କ ରୋଜଗାର ବଢ଼ିବ। ସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଚାଷୀଙ୍କ ଆୟ ବଢ଼ାଇବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରସେସିଂ ପ୍ଳାଣ୍ଟ ଆଦି ନିର୍ମାଣ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଥିବା କହିଛନ୍ତି। ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଣୁ କରୋନା କାଳରେ ଦୁଗ୍ଧ ଚାଷୀମାନଙ୍କୁ ରାଜ୍ୟ ସରକାର ୬ ହଜାର ଲେଖାଏଁ ସହାୟତ ଯୋଗାଇ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ପୁଷ୍ଟି ନିରାପତ୍ତାରେ ଦୁଗ୍ଧର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆହ୍ୱାନ ଜଣାଇଥିଲେ ଏବଂ ଶ୍ୱେତ ବିପ୍ଳବ ଆଣିବା ପାଇଁ ସରକାରଙ୍କ ଉଦ୍ୟମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ରାଜ୍ୟରେ ଓମ୍‌ଫେଡ୍‌ର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟ୍ରିକ ଟନ୍‌ ଥିବାବେଳେ ୨୦୨୦ ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଓମ୍‌ଫେଡ୍‌ ଦ୍ୱାରା ଦୈନିକ ସଂଗୃହିତ ୫ ଲକ୍ଷ ଲିଟର ଦୁଗ୍ଧ ଓମ୍‌ଫେଡ୍‌ର ୪୦୫ ଟି ଶୀତଳୀକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଡ. ଅରୁଣ ସାହୁ ରାଜ୍ୟରେ କୃଷି ଓ ଆନୁସଙ୍ଗିକ କୃଷିର ବିକାଶ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ସଂଗୃହିତ ଦୁଗ୍ଧର ଉପଯୁକ୍ତ ବିକ୍ରି ଓ ଉଚିତ ମୂଲ୍ୟ ପାଇବା ହେତୁ ଦୁଗ୍ଧ ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, NDDB ର ଅଧ୍ୟକ୍ଷ ଓ ବିଭାଗୀୟ ଶାସନ ସଚୀବ ପ୍ରମୁଖ ଯୋଗ ଦେଇଥିଲେ।