ହିସାବ ବାହାରେ ସାମଲ ବାବୁଙ୍କ ସମ୍ପତ୍ତି, ୨୨ ଘଣ୍ଟାର ରେଡ ପରେ ପତି-ପତ୍ନୀ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଭିଜିଲାନ୍‌ସ ଇତିହାସର ସବୁଠୁ ବଡ଼ ମାମଲା। ଏତେ ଟଙ୍କା ଆଗରୁ କେବେ ଗଣିନଥିଲା ଭିଜିଲାନ୍ସ ବିଭାଗ। ଗିରଫ ହେଲେ ଓପିଏଚ୍‌ଡବ୍ଲୁସି ଉପପ୍ରବନ୍ଧକ ପ୍ରତାପ ସାମଲ। ପ୍ରତାପ ସାମଲଙ୍କ ପତ୍ନୀ ସସ୍ମିତା ସାମଲ ମଧ୍ୟ ଗିରଫ ହୋଇଛନ୍ତି। ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଆୟର ୧୦୨୧% ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍‌ସ ଟିମ୍।

ସଂପତ୍ତି ଠୁଳ କରିଥିଲେ କିନ୍ତୁ ହିସାବ ଦେଇ ପାରୁନଥିଲେ। ଯାହା ତଦନ୍ତକାରୀ ଟିମକୁ ସନ୍ତୋଷ କରି ପାରିନଥିଲା। ତେବେ ପ୍ରତାପଙ୍କ ବେହିସାବ ସମ୍ପତ୍ତି ପତି ଓ ପତ୍ନିଙ୍କୁ ଗିରଫ କରିବାରେ ସହାୟକ ହୋଇଛି। ପାଖାପାଖି 22ଘଣ୍ଟାର ରେଡ୍‌ ପରେ ଭିଜିଲାନ୍‌ସ ହିସାବ ଶେଷ କରିଛି। କୋଟି କୋଟି ଟଙ୍କାର ସଂପତ୍ତି ଆକଳନ କରୁଛି ଭିଜିଲାନ୍‌ସ। ଲଗାତର ୨୨ଘଣ୍ଟା ରେଡ୍ ପରେ ଭୋର ୩ଟାରେ ସରିଲା ଯାଞ୍ଚ ପ୍ରକ୍ରିୟା। ଯାଞ୍ଚ ବେଳେ ସାମ୍ନାକୁ ଆସିଛି ପୋଲିସ ହାଉସିଂ କର୍ପୋରେସନର ଉପପ୍ରବନ୍ଧକ ପ୍ରତାପ ସାମଲଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ତାଲିକା।

୩କୋଟି ୪୧ଲକ୍ଷ ୫୮ହଜାର ୪୧୨ର ୨୫ଟି ପ୍ଲଟ୍ ରହିଛି ପ୍ରତାପଙ୍କ ନାଁରେ। ଗୋଠପାଟଣାରେ ଥିବା ୫ମହଲା ବିଶିଷ୍ଟ ବହୁତଳ ପ୍ରାସାଦର ମୂଲ୍ୟ ହେବ ୩କୋଟି ୮୯ଲକ୍ଷ ୬୦ ହଜାର। ଅନ୍ୟ ପ୍ଲଟ୍ ଓ ବିଲଡିଂର ମୂଲ୍ୟ ଏଯାଏ ନିରୂପଣ ହୋଇନି। ଓଡ଼ିଶା ଭିଜିଲାନ୍ସର ଟେକନିକାଲ ୱିଙ୍ଗ ମୂଲ୍ୟାୟନ ଜାରି ରଖିଛନ୍ତି। ପ୍ରତାପ ଓ ତାଙ୍କ ପରିବାର ନାଁରେ ଥିବା ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ରହିଛି କୋଟିଏ ୬୧ ଲକ୍ଷ ୩୫ ହଜାର ୮୧୨। ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି ଭିଜିଲାନ୍ସ ଟିମ୍। ୫୭ଲକ୍ଷ ୭୨ହଜାର ୧୫୦ଟଙ୍କାର ବୀମା ରହିଛି ପ୍ରତାପଙ୍କ ନାଁରେ।

୩୩ ବର୍ଷର ଚାକିରି କାର୍ଯ୍ୟକାଳ ଭିତରେ ସେ ଏତେ ଆୟ ବହିର୍ଭୁତ ସମ୍ପତ୍ତିର କିଭଳି ମାଲିକ ହେଲେ ସେନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ। ଗତକାଲି ୧୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା। ଆଇଆରସି ଭିଲେଜ ସ୍ଥିତ ଘରେ ଚଢ଼ାଉ ବେଳେ ଟିଭି ପେଟି ଭିତରେ ୩୬ ଲକ୍ଷ ନଗଦ ଟଙ୍କା ପଡୋଶୀ ଘରକୁ ଫୋପାଡିବା ବେଳେ ମାଡି ବସିଥିଲା ଭିଜିଲାନ୍‌ସ। ପ୍ରତାପ, ତାଙ୍କ ପୁଅ ଓ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ୱରରେ ୧୭ଟି ପ୍ଲଟ ସହ ୨ଟି ବିଲ୍ଡିଂ ରହିଛି। ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ ଘର ଠାବ କରିଥିଲା ଭିଜିଲାନ୍ସ। ସେହିପରି ଅଧ କେଜିଏ ସୁନା ମଧ୍ୟ ଜବତ କରାଯାଇଥିଲା।