‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ ମିଶନରେ ବଳିଆପଣ୍ଡାରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀ ବଳିଆପଣ୍ଡା ଅଞ୍ଚଳରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ମିଶନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆଇ.ଏସ୍. ୧୦ ହଜାର ୫୦୦ ମାନର ପାନୀୟ ଜଳ ପୁରୀକୁ ଯୋଗାଣ ହେବ। ଏହା ଦେଶର ପ୍ରଥମ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ। ପୂର୍ବରୁ ମାଟି ତୋଟାକୁ ଏହି ଉନ୍ନତ ମାନର ଜଳ ଯୋଗାଣ କରାଯାଇଥିଲା ବେଳେ ବର୍ତ୍ତମାନ ଏହା ବଳିଆପଣ୍ଡା ଅଞ୍ଚଳକୁ ହୋଇଛି।

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ପଞ୍ଚାୟତରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶୁଭାରମ୍ଭ ସମୟରେ ଉପସ୍ଥିତ ଥିଲେ।
ଏହି ଯୋଜନାରେ ୨.୫ ଲକ୍ଷ ଲୋକ ଉପକୃତ ହେବେ। ଏଥିସହ ବାର୍ଷିକ ୨ କୋଟି ପର୍ଯ୍ୟଟକ ଉପକୃତ ହେବେ। ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅନ୍ତର୍ଜାତୀୟ ସହରମାଳାରେ ପୁରୀ ସାମିଲ ହୋଇଛି। ଏହା ଦ୍ୱାରା ଲଣ୍ଡନ, ଲସ ଏଞ୍ଜେଲ୍ସ ଓ ସିଙ୍ଗାପୁର ସହ ପୁରୀ ମଧ୍ୟ ସମକକ୍ଷ ହେବ। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଆଧାରରେ ବ୍ୟବସ୍ଥାର ରୂପାନ୍ତର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।