ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ନୂଆ ଥାନାକୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ପୂର୍ବରୁ ରାମନାଗୁଡ଼ାରେ ଥାନା ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିଥିବା ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର ଦାଶ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ଓ ଅତିରିକ୍ତ ଏସପି ଆର ରାଜପ୍ରସାଦ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ରାମନାଗୁଡ଼ା ଥାନା ପ୍ରତିଷ୍ଠା ନେଇ ସମସ୍ତେ ଖୁସି ଅନୁଭବ କରିବା ସହ ପୁଲିସ ଆଗାମୀ ଦିନରେ ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଉପସ୍ଥିତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଣୁପୁର ଏସଡିପିଓ ବିକାଶ ଦେହୁରୀ, ବିଷମକଟକ ଏସଡିପିଓ ବିକାଶ ସାହୁ, ଗୁଣୁପୁର ଆଇଆଇସି ନିଳାମ୍ବର ଜାନି, ପୁଟାସିଂ ଆଇଆଇସି ସୁନିତା ବେହେରା, ଜିଲ୍ଲା ସମ୍ପାଦକ ଗଗନ ଆଚାର୍ଯ୍ୟ ଓ ବିଜୁ ଛାତ୍ର ଜନତା ଦଳ ସଭାପତି ପିଙ୍କୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।