ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୯ ଘଣ୍ଟା ଜେରା

ରାଞ୍ଚି,ଏଜେନ୍ସି: ବେଆଇନ ଖଣି ଖନନ ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦୀର୍ଘ ୯ ଘଣ୍ଟା କାଳ ଜେରା କରିଛି ଇଡି । ଗତକାଲି(ଗୁରୁବାର) ପୂର୍ବାହ୍ନରେ ସୋରେନ ରାଞ୍ଚି ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ହାଜର ହୋଇଥିଲେ । ୯ ଘଣ୍ଟାରୁ ଅଧିକ ସମୟ ଧରି ଜେରା ପରେ ବିଳମ୍ବିତ ରାତିରେ ସେ ଇଡି ଅଫିସରୁ ବାହାରିଥିବା ସୂଚନା ମିଳିଛି । ତେବେ ଦେଶରେ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଏପରି ଜେରା କରାଯିବା ଏହା ପ୍ରଥମ ଘଟଣା ।

ସୂଚନା ମୁତାବକ, ଜେରା ପାଇଁ ଇଡି ଅଫିସରେ ହାଜର ହେବା ପୂର୍ବରୁ ୪୭ ବର୍ଷୀୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ରାଜନୈତିକ ଷଡଯନ୍ତ୍ର ବୋଲି କହିଥିଲେ । ଏହାପରେ ଦିନ ପ୍ରାୟ ୧୧ଟା ୫୦ ମିନିଟ୍ ସମୟରେ ସେ ଇଡିର ରାଞ୍ଚି ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜେରା ସରିବା ପରେ ରାତି ୯ଟା ୪୦ ସମୟରେ ଅଫିସରୁ ବାହାରି ପତ୍ନୀ କଳ୍ପନାଙ୍କ ସହ ବାସଭବନ ଅଭିମୁଖେ ଯାଇଥିଲେ । ତେବେ ସୋରେନଙ୍କ କ’ଣ ସବୁ ପଚରାଉଚରା କରାଯାଉଛି ସେନେଇ ଇଡି ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ସାହିବଗଞ୍ଜ ଜିଲ୍ଲାରେ ୧୦୦୦ କୋଟିର ଖଣି ଦୁର୍ନୀତି ମାମଲାରେ ଇଡି ହେମନ୍ତ ସୋରେନଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ଚଢାଉ ବେଳେ ମିଶ୍ରାଙ୍କ ଘରୁ ସୋରେନଙ୍କ ଗୋଟିଏ ପାସବୁକ, ଚେକବୁକ୍ ସମେତ ଦୁଇଟି ଦସ୍ତଖତ ଚେକ୍ ଜବତ ହୋଇଥିଲା । ଏହାପରେ ପଙ୍କଜ ମିଶ୍ରାଙ୍କୁ ଗିରଫ କରାଯିବା ସହ ସୋରେନଙ୍କୁ ପଚରାଉଚରା ପାଇଁ ଇଡି ସମନ ଜାରି କରିଥିଲା ।