ଦିନ ମଜୁରିଆ ସାଜିଛନ୍ତି ସିଟି ତାଲିମପ୍ରାପ୍ତ ଯୁବକ

ବରଗଡ଼, ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜଣେ ସିଟି ତାଲିମପ୍ରାପ୍ତ ଯୁବକ ଦିନ ମଜୁରିଆ ଭାବରେ କାମ କରୁଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାଟି ନଜରକୁ ଆସିଛି ବିଜେପୁର ବ୍ଲକରୁ । ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ଯୋଖୀପାଲି ଗ୍ରାମର କମଳାକାନ୍ତ ବରିହା ୨୦୧୬ ମସିହାରେ ସିଟି ତାଲିମ କରିସାରିବା ପରେ ୨୦୧୭ ମସିହାରେ ଓଟିଇଟି ପାସ୍ କରିଥିଲେ। ଚାକିରି ନମିଳିବାରୁ ବର୍ତ୍ତମାନ ସେ ଗାଁରେ ଦିନ ମଜୁରିଆ ଭାବରେ କାମ କରିବା ସହ ଦୈନିକ ୨୫୦ ଟଙ୍କା ମଜୁରୀ ପାଉଛନ୍ତି । କମଳାକାନ୍ତଙ୍କ ପରିବାରରେ ବାପା, ମାଆ, ବଡ଼ ଭଉଣୀ ଅଛନ୍ତି।

ସୂଚନା ଯୋଗ୍ୟ, ୨୦୧୨ ମସିହାରେ ମ୍ୟାଟ୍ରିକ ପାସ କରିଥିବା କମଳାକାନ୍ତ ୨୦୧୪ରେ ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ହୋଇ ପ୍ରବେଶିକା ପରୀକ୍ଷା ଦେଇ ସିିଟି ତାଲିମ ଗ୍ରହଣ କରିଥିଲେ । ଦୀର୍ଘ ବର୍ଷ ଧରି ଶିକ୍ଷକ ନିଯୁକ୍ତି ହେଉ ନ ଥିବାରୁ କମଳାକାନ୍ତ ଦୁଃଖ ପ୍ରକାଶ କରିବା ସହ ସରକାର ତୁରନ୍ତ ଶିକ୍ଷକ ନିଯୁକ୍ତି ପ୍ରକ୍ର୍ରିୟା ଆରମ୍ଭ କରି ତାଙ୍କ ଭଳି ଅନେକ ତାଲିମପ୍ରାପ୍ତ ଆଶାୟୀ ଶିକ୍ଷକଙ୍କୁ ରୋଜଗାର ପ୍ରଦାନ କରିବାର ସୁଯୋଗ ଦେବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।