ଦିଲ୍ଲୀ-ଉତ୍ତର ପ୍ରଦେଶରେ କଟକଣା ସହ ଆଜିଠୁ ଖୋଲିବ ସିନେମା ହଲ୍ ଓ କ୍ରୀଡ଼ା ପରିସର

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ମହାମାରୀର ପ୍ରଭାବ କମ ହେବା ସହିତ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନେକ ରାଜ୍ୟ କଟକଣାକୁ ଧୀରେ ଧୀରେ କୋହଳ କରୁଛି। ଦିଲ୍ଲୀ, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ସମେତ ଜମ୍ମୁ କଶ୍ମୀରରେ କରୋନା ଲକଡାଉନ କୋହଳ କରିଦିଆଯାଇଛି। ଲୋକଙ୍କ ସୁବିଧା ଅନୁସାରେ ପ୍ରତିଷ୍ଠାନ ଖୋଲି ଦିଆଯାଇଛି।

କୋଭିଡ ଗାଇଡଲାଇନ ସହିତ ଉତ୍ତର ପ୍ରଦେଶରେ ଆଜିଠାରୁ ମଲ୍ଟିପ୍ଲେକ୍ସ ସିନେମା ହଲ, ଜିମ୍ ଏବଂ ଷ୍ଟାଡିୟମ ଖୋଲିବ। ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ ନୂଆ ଗାଇଡଲାଇନ ଜାରି କରିଛନ୍ତି। ପ୍ରମୁଖ ସଚିବ (ଗୃହ) ଅବନୀଶ କୁମାର ଅବସ୍ତି କହିଛନ୍ତି ରାଜ୍ୟରେ କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ସ୍ଥାନରେ ସିନେମା ହଲ, ଜିମ ଏବଂ କ୍ରୀଡ଼ା ପରିସର ଖୋଲିବ।

ଦିଲ୍ଲୀ ସରକାର ମଧ୍ୟ ଷ୍ଟାଡିୟମ ଏବଂ କ୍ରୀଡ଼ା ପରିସର ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ କ୍ରୀଡ଼ା ପରିସରେ କୌଣସି ଦର୍ଶକ ରହିପାରିବେ ନାହିଁ। ଡିଡିଏମଏ ପକ୍ଷରୁ ରବିବାର ଜାରି ହୋଇଥିବା ଆଦେଶ ଅନୁସାରେ ଷ୍ଟାଡିୟମ ଏବଂ ଖେଳ ପରିସରରେ କୋଭିଡ ନିୟମ ପାଳନ କରାଯିବ।