ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରୀୟ ରାଜଧାନୀ ତିହାର ଜେଲରେ ଦିନ କାଟୁଥିବା ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଛୋଟା ରାଜନକୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଛୋଟା ରାଜନର ପେଟରେ ଯନ୍ତ୍ରଣା ହେଉଛି ଏବଂ ସମସ୍ୟା କ’ଣ ରହିଛି, ତାହା ଜାଣିବା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଛି।

ସୂତ୍ର ଅନୁସାରେ ତିହାର ଜେଲର ୨ ନମ୍ବର ସେଲରେ ଦିନ କାଟୁଥିବା ଛୋଟାରାଜନ ମଙ୍ଗଳବାର ଅପରାହ୍ନ ସମୟରେ ଅସୁସ୍ଥ ହୋଇଥିଲା। ତା’ର ପେଟ ଯନ୍ତ୍ରଣା ହୋଇଥିଲା। ସୁରକ୍ଷାକର୍ମୀ ଏବାବଦରେ ଜାଣିବା ପରେ ଜେଲର ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଛୋଟା ରାଜନର ଚିକିତ୍ସା ପାଇଁ ଡାକ୍ତରଙ୍କୁ ଡକାଯାଇଥିଲା। ଆରମ୍ଭରୁ ଜେଲର ଡାକ୍ତରମାନେ ଛୋଟାରାଜନର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ଜେଲର ଡାକ୍ତର ଜାଣି ନପାରିବା ପରେ ତାକୁ ଅଧିକ ଚିକିତ୍ସା ପାଇଁ ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା। ଛୋଟାରାଜନକୁ ମଙ୍ଗଳବାର କଡ଼ା ସୁରକ୍ଷା ମଧ୍ୟରେ ଏମ୍ସକୁ ନିଆଯାଇଥିଲା।

ସୂଚନାଯୋଗ୍ୟ, ଛୋଟା ରାଜନକୁ ଗତ ଏପ୍ରିଲ ୨୪ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାକୁ ୧୮ ଦିନ ଚିକିତ୍ସା କରାଯାଇଥିଲା। ଏହା ପରେ ମେ’ ମାସ ୧୧ ତାରିଖରେ କଡ଼ା ସୁରକ୍ଷା ମଧ୍ୟରେ ଏମ୍ସରୁ ତିହାର ଜେଲ ନିଆଯାଇଥିଲା। ସେହି ସମୟରେ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ ଯେ, ହତ୍ୟାକାଣ୍ଡ ଘଟଣାରେ ଛୋଟା ରାଜନକୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ୨ ବର୍ଷ କାରାଦଣ୍ଡ ଦେଇଛନ୍ତି।