ଦ୍ୱିତୀୟ ଟି-୨୦: ଭାରତକୁ ୪ ୱିକେଟ୍‌ରେ ପରାସ୍ତ କଲା ଶ୍ରୀଲଙ୍କା, ଏବେ ୧-୧ରେ ଶୃଙ୍ଖଳା

କଲମ୍ବୋ,ଏଜେନ୍ସି: ଶ୍ରୀଲଙ୍କା ସ୍ଥାନୀୟ ପ୍ରେମଦାସା ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ୨ୟ ଟି-୨୦ରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ୧-୧ରେ ପହଞ୍ଚିଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ମୁକାବିଲା ମଙ୍ଗଳବାର ଖେଳାଯିବାର ଥିଲା। କିନ୍ତୁ ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବା ପରେ ମ୍ୟାଚକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ଭାରତ ଏହି ମ୍ୟାଚରେ ଦେବଦତ୍ତ ପାଡ଼ିକ୍କଲ, ରିତୁରାଜ ଗାୟକୱାଡ, ନୀତୀଶ ରାଣା ଓ ଚେତନ ସକାର୍ରିାଙ୍କୁ ସୁଯୋଗ ଦେଇଥିଲା। ଏଥିସହିତ ଏହି ଖେଳାଳୀ ମାନେ ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ କରିଥିଲେ।

ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଶ୍ରୀଲଙ୍କାର କଠିନ ପିଚ ଯୋଗୁଁ ଟିମ ଇଣ୍ଡିଆ ୫ ୱିକେଟ ବିନିମୟରେ ୧୩୨ ରନ୍‌ରେ ଅଟକିଯାଇଥିଲା। ଶ୍ରୀଲଙ୍କା ପାଇଁ ଧନଞ୍ଜୟ ଡି ସିଲଭା ୩୪ଟି ବଲ ଖେଳି ଅପରାଜିତ ୪୦ ରନ୍ କରିଥିଲେ। ସେହିପରି ମିନୋଦ ଭାନୁକା ୩୧ଟି ବଲ ଖେଳି ୩୬ ରନ୍ ଯୋଡ଼ିଥିଲେ। ଭାରତ ପାଇଁ କୁଲଦୀପ ଯାଦବ ୨ଟି ୱିକେଟ ନେଇଥିଲେ।

ଉପଅଧିନାୟକ ଭୁବନେଶ୍ୱର କୁମାର ନିଜର ଶେଷ ଓବରରେ ୧୨ ରନ ଦେଇଥିଲେ। ଫଳରେ ଶ୍ରୀଲଙ୍କାକୁ ଶେଷ ଓଭରରେ ମ୍ୟାଚ ବିଜୟ ପାଇଁ ୮ ରନ୍‌ର ଆବଶ୍ୟକତା ଥିଲା। ନିଜର ପ୍ରଥମ ମ୍ୟାଚ ଖେଳିଥିବା ସକାରିଆଙ୍କ ପାଇଁ ଏହା ଅଟକାଇବା ସହଜ ନଥିଲା। ଭାରତୀୟ ଟିମ ପ୍ରେମଦାସା ଷ୍ଟାଡିୟମରେ ବୁଧବାର କେବଳ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ୪୨ଟି ବଲ ଡଟ୍ ଥିବା ବେଳେ ଅଧିନାୟକ ଶିଖର ଧାୱନ ୪୨ଟି ବଲ ଖେଳି ସର୍ବାଧିକ ୪୦ ରନ୍ ଯୋଡ଼ିଥିଲେ।