ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ବହୁବାର ଜନ ସେବା ପାଇଁ ପ୍ରସଂଶାର ପାତ୍ର ହୋଇଛନ୍ତି। ଇତିମଧ୍ୟରେ ପୁଣିଥରେ ଜଣେ ମୃତବ୍ୟକ୍ତିଙ୍କ ପରିବାରକୁ ସାହାଯ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି। ଘଟଣା ଅନୁଯାୟୀ, ଚିତ୍ରକୋଣ୍ଡା ବ୍ଲକ ଯୋଡ଼ାମ୍ବ ପଞ୍ଚାୟତର ଗଡ଼ଲଗୁମି ଗ୍ରାମର ଧାନିମା ଖରା (୪୫) ଗତ ୮ ତାରିଖରୁ ଟାଇଫଡରେ ପୀଡ଼ିତ ହୋଇ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଚିକିତ୍ସିତ ହେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାଳୟରୁ ମୃତ ଧାନିମା ଖରାଙ୍କ ଘର ପ୍ରାୟ ୧୦୦ କିଲୋମିଟରରୁ ଉର୍ଦ୍ଧ୍ୱ ହେବ। ତେବେ ମୃତ ଧାନିମାଙ୍କ ପରିବାର ଅସହାୟ ଓ ଗରିବ ହୋଇଥିବାରୁ ଗାଡ଼ି ଭଡ଼ା କରି ମୃତକଙ୍କୁ ଘରକୁ ନେବା ପାଇଁ ସକ୍ଷମ ହୋଇ ନଥିବାରୁ ସରକାରୀ ସହାୟତା ଅପେକ୍ଷାରେ ରହିଥିଲେ। ଏସମ୍ବନ୍ଧରେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ବାକା ଜାଣିବା ପରେ ଜିଲ୍ଲାର ବିଜୁ ଛାତ୍ର ଜନତା ଦଳକୁ ଉକ୍ତ ମୃତବ୍ୟକ୍ତିର ଶବଟି କିପରି ତାଙ୍କ ଗାଁରେ ପହଁଚିପାରିବ ସେନଇ ବ୍ୟବସ୍ଥା କରିବା ପାଇଁ କହିଥିଲେ। ପରେ ବିଜୁ ଛାତ୍ର ଜନତା ଦଳର ସଭାପତି ତାପସ ରଞ୍ଜନ ନାୟକ ଓ ତାଙ୍କ ଟିମ୍ ଚିକିତ୍ସାଳୟରେ ପହଁଚି ସେଠାକାର କର୍ତୃପକ୍ଷଙ୍କ ସହ ଆଲୋଚନା କରି ସେହି ବ୍ୟକ୍ତିଙ୍କୁ ଗଡ଼ଲଗୁମି ଗ୍ରାମରେ ପହଁଞ୍ଚାଇବା ପାଇଁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଥିଲେ।