ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ଗତ କିଛି ମାସରୁ ନିର୍ବାଚିତ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ପଞ୍ଚାୟତ ରାଜନୀତିରେ ଉଷ୍ମତା ଆଣିଛି। ଏଭଳି ସ୍ଥିତିରେ ପ୍ରଶାସନିକ ଅଧିକାରୀଙ୍କ ବୋଲକରା ନ ହେବା କାରଣରୁ ଉକ୍ତ ପଞ୍ଚାୟତ ସମିତିର ବିଭିନ୍ନ ନିର୍ବାଚିତ ଜନ ପ୍ରତିନିଧିଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ସରକାରୀ କଳର ଅପବ୍ୟବହାର କରି ଅନାସ୍ଥା ଭଳି ପଦକ୍ଷେପ ନେଉଥିବା ରିଆମାଳ ବ୍ଲକ ଅଧ୍ୟକ୍ଷା ରିତାଞ୍ଜଳୀ ହାତୀଙ୍କ ସମେତ ବହୁ ସରପଞ୍ଚ ଅଭିଯୋଗ କରିଛନ୍ତି। ଏହି କ୍ରମରେ ଖିଲେଇ ସରପଞ୍ଚ ମିନତୀ ବେହେରାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରସ୍ତୁତି ହୋଇଥିଲେ ହେଁ କୋରମ ଅଭାବରୁ ଆଜି ଏହା ହୋଇ ପାରିନାହିଁ। ମୋଟ ୧୩ ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତରେ ଆଜି ଅନାସ୍ଥା ପ୍ରସ୍ତାବ ବୈଠକରେ ୭ଜଣ ସଦସ୍ୟ ଉପସ୍ଥିତ ଥିବାବେଳେ ସରପଞ୍ଚଙ୍କ ସମେତ ଅନ୍ୟ ୬ଜଣ ଅନୁପସ୍ଥିତ ରହିଥିଲେ। ନର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ୬ଜଣ ସଦସ୍ୟ ଅନୁପସ୍ଥିତ ରହିବା କାରଣରୁ କୋରମ ଅଭାବରୁ ଏହା ହୋଇ ପାରିନଥିଲା । ତେବେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ନିର୍ବାଚନ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର କୈବଲ୍ୟ କିଶୋର କର ଏବଂ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରିଆମାଳ ତହସିଲଦାର ବିମଳା ବିରୁଳି ମୁଖ୍ୟ ଫାଟକରେ ତାଲା ପକାଇବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରକୁ ଯିବାକୁ ଦେଇନଥିଲେ ଏବଂ କାହାରି ଫୋନ ମଧ୍ୟ ଉଠାଇ ନଥିଲେ। ତେବେ ସମୟ ଅବଧି ସରିବା ପରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବାକୁ ଯାଇଥିବା ଡେପୁଟି କଲେକ୍ଟର କୈବଲ୍ୟ କିଶୋର କର, ମାଜିଷ୍ଟ୍ରେଟ ବିମଳା ବିରୁଳି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଲବ କିସାନ, ଉପଖଣ୍ଡ ପଞ୍ଚାୟତ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଓ ଜିପିଓ ରଞ୍ଜିତ ଟୁଡୁ ପ୍ରମୁଖ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଭାରତ ନିର୍ମାଣ ରାଜୀବ ସେବା କେନ୍ଦ୍ରରେ ଭୋଜିରେ ଆପ୍ୟାୟିତ ହେଉଥିବା ଚିତ୍ର ଉପୋରକ୍ତ ଅଧିକାରୀଙ୍କ ଦାୟିତ୍ୱବୋଧତା ଉପରେ ପ୍ରଶ୍ନ ଉଠାଇଛି।