କୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା: ସ୍ୱାମୀ ଅନୁଭବଙ୍କ ବିରୁଦ୍ଧରେ ଆଣିଲେ ଘରୋଇ ହିଂସା ଅଭିଯୋଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଲିଉଡ଼ ଜଗତର ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କରେ ତିକ୍ତତା ଦେଖାଦେଇଛି। କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଘରୋଇ ହିଂସାର ଅଭିଯୋଗ ଆଣି ପତ୍ନୀ ବର୍ଷା ଏସଡିଜେଏମ୍ କଟକ ସଦର ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି।

ବର୍ଷା ଭରଣପୋଷଣ ଓ ଘରୋଇ ହିଂସାକୁ ନେଇ କୋର୍ଟରେ ମାମଲା ଦାୟର କରିଛନ୍ତି। ବର୍ଷାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଉପସ୍ଥିତିରେ ଅନୁଭବ ନିଜ ମଦ୍ୟପ ସାଙ୍ଗଙ୍କୁ ଘରକୁ ଡାକି ମଦ୍ୟପାନ କରିଥାନ୍ତି। ଆଉ ଏହାକୁ ବିରୋଧ କରିବାରୁ ଅନୁଭବ ତାଙ୍କୁ ଧକ୍କା ମାରି ଘରୁ ବାହାର କରିଦେଇଛନ୍ତି। ଏଥିସହିତ ଅନେକ ସମୟରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିବା ବର୍ଷା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ସିନେ ଜଗତର ଅନ୍ୟ ଝିଅଙ୍କ ସହ ଅନୁଭବଙ୍କର ସମ୍ପର୍କ ଥିବା ନେଇ ସୂଚନା ମିଳିଛି।

ସୂଚନାନୁଯାୟୀ, ଅନୁଭବଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି ବର୍ଷା। ଅଭଯୋଗ ପତ୍ରରେ ଘରଭଡ଼ା ବାବଦକୁ ୨୦ ହଜାର ଟଙ୍କା, ମାସିକ ଭରୋଣ ପୋଷଣ ନିମନ୍ତେ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ଚିକିତ୍ସା ଓ ରୋଜଗାର ହରାଇଥିବାରୁ ୨ କୋଟି ଟଙ୍କା ଦାବି କରିଛନ୍ତି। ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ଅଗଷ୍ଟ ୭ ତାରିଖରେ ମାମଲା ଦାୟର କରିଥିବାବେଳେ ଆଜି ତାଙ୍କର ପ୍ରଥମ ଶୁଣାଣି ରହିଛି। ବର୍ଷାଙ୍କ ତରଫରୁ ଆଇନଜୀବୀ ଆର.କେ ରଥ କେସ ଲଢ଼ୁଛନ୍ତି।