ବାଲ୍ୟ ବିବାହ ରୋକିଲା ଚାଇଲ୍ଡ ଲାଇନ୍

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ କୁଦୋପାଲି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ ୧୬ ବର୍ଷୀୟା ନାବାଳିକାର ବିବାହକୁ ଚାଇଲ୍ଡ ଲାଇନ୍ ପକ୍ଷରୁ ରୋକା ଯାଇଛି। ନାବାଳିକାର ବାହାଘର ଦଳଗାଁ ପଞ୍ଚାୟତର ଗୁଡ଼ିଆଲି ଗ୍ରାମର ଏକ ୨୫ ବର୍ଷୀୟ ଯୁବକଙ୍କ ସଙ୍ଗେ ସ୍ଥିର ହୋଇଥିଲା। ବାହାଘର ପାଇଁ ବରଯାତ୍ରୀ ନାବାଳିକାର ଗାଁକୁ ଆସିସାରିଥିଲେ। ଏସମ୍ପର୍କରେ ଚାଇଲ୍ଡ ଲାଇନ୍ ଓ ବାଲ୍ୟ ବିବାହ ନିଶୋଧ ଅଧିକାରୀ କୌଣସି ସୂତ୍ରରୁ ଖବର ପାଇଥିଲେ।

ଝାରସୁଗୁଡ଼ା ବ୍ଲକ୍ ସିଡିପିଓ ସୁପ୍ରଭା ମହାପାତ୍ରଙ୍କ ସହିତ ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା, ସଦସ୍ୟ ଜ୍ୟୋତ୍ସ୍ନା ପ୍ରଧାନ, ଡେଲାମଣି ସେଠ, ରାମପୁର ଫାଣ୍ଡି ପୁଲିସ ଅଧିକାରୀ ପ୍ରମୁଖ ନାବାଳିକାଙ୍କ ଘରକୁ ଯାଇ ବାଲ୍ୟ ବିବାହର କୁପରିଣାମ ଓ ଦଣ୍ଡ ବିଧାନ ବିଷୟରେ ନାବାଳିକାର ବାପା-ମା’ ଓ ପରିବାରବର୍ଗଙ୍କୁ ବୁଝାଇଥିଲେ। ଏହାପରେ ନାବାଳିକାର ବାପା-ମା’ ନିଜ ଭୁଲ ବୁଝିପାରି ଝିଅକୁ ୧୮ ବର୍ଷ ହେଲା ପରେ ଯାଇ ବାହା ଦେବାକୁ ରାଜି ହୋଇଥିଲେ। ଏନେଇ ସେମାନଙ୍କ ମଧ୍ୟରେ ଏକ ଲିଖିତ ରାଜିନାମା ମଧ୍ୟ ହୋଇଥିଲା।