ଦେବଗଡ଼ ଜେଏନଭିରେ ଚେସ ପ୍ରତିଯୋଗିତା

ଦେବଗଡ଼,ଏନ୍‌ଏନ୍‌ଏସ୍ : ଦେବଗଡ଼ ଜିଲ୍ଲା ସୁନାମୁଣ୍ଡାସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ନବୋଦୟ ବିଦ୍ୟାଳୟ ସମିତି ଭୋପାଳ ରିଜିଅନ ପକ୍ଷରୁ ୩ ଦିନିଆ ଆଞ୍ଚଳିକ ଚେସ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ପୂର୍ବାହ୍ନରେ ବର୍ଷା ବାଧାପ୍ରାପ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଉତ୍ତମ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ବଲବୀର କିଣ୍ଡୋ, ଦିନେଶ ତ୍ରିବେଦୀ, କ୍ରୀଡ଼ା ଶିକ୍ଷକ ସୁଜିତ କୁମାର ସାମଲ ଓ ଶିକ୍ଷୟତ୍ରୀ ଦୀପାଞ୍ଜଳି ଜେନାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସକ୍ରିୟ ଭାବେ ସହଯୋଗ କରିଥିଲେ । ଓଡ଼ିଶା, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ମୋଟ ୯୬ ପ୍ରତିଯୋଗୀ ଅଂଶଗ୍ରହଣ କରୁଥିବାବେଳେ ଆସନ୍ତା ୨୨ ତାରିଖରେ ପ୍ରତିଯୋଗିତା ଉଦଯାପିତ ହେବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।