ନୂଆଦିଲ୍ଲୀ,ଏଜେନ୍ସି: ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସର ଦମଦାର ବିଜୟ। ସନରାଇଜର୍ସକୁ ପରାସ୍ତ କରିବା ସହ ଷଷ୍ଠ ମ୍ୟାଚ୍ରୁ ଲଗାତାର ପଞ୍ଚମ ବିଜୟ ହାସଲ କରି ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନକୁ ଫେରିଛି ଚେନ୍ନାଇ। ଅନ୍ୟପଟେ ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କ ମାଇଲଖୁଣ୍ଟ ଭରା ଅର୍ଦ୍ଧଶତକ ସତ୍ତ୍ୱେ ସନରାଇଜର୍ସ ୬ ମ୍ୟାଚରୁ ୫ ପରାଜୟ ପାଇ ପଏଣ୍ଟ୍ ତାଲିକାର ସବାଶେଷ ସ୍ଥାନରେ ପୂର୍ବବତ୍ ଝୁଲି ରହିଛି।
୧୭୨ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ପ୍ରାରମ୍ଭିକ ଯୋଡ଼ି ଋତୁରାଜ ଗାଏକ୍ବାଡ୍ ଓ ଫାଫ୍ ଡୁ’ପ୍ଲେସିସ୍ ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ନିଜ ନିଜ ଅର୍ଦ୍ଧଶତକ ପୂରଣ କରିବା ସହ ପ୍ରଥମ ୱିକେଟ୍ ସହ ୧୨୯ ରନ୍ ଯୋଡ଼ିଥିଲେ। ୨୪ ବର୍ଷୀୟ ଋତୁରାଜ ଧମାକାଦାର ବ୍ୟାଟିଂ କରି ଦଗଦୀଶ ସୁଚିତଙ୍କ ଓ ଦକ୍ଷ ସ୍ପିନର ରସିଦ ଖାନଙ୍କ ଗୋଟିଏ ଓଭରରେ ହ୍ୟାଟ୍ରିକ୍ ଚୌକା ମାରିଥିଲେ। ରସିଦଙ୍କ ତୃତୀୟ ଓଭରର ଶେଷ ବଲରେ ବୋଲ୍ଡ ହେବା ସହ ଗାଏକ୍ବାଡ୍ ୪୪ ବଲରେ ୭୫ ରନ କରିଥିଲେ। ମୋଇନ ଅଲ୍ଲୀ ୮ ବଲରେ ୧୫ ରନ୍ ଓ ଡୁ’ପ୍ଲେସିସ ୩୮ ବଲରେ ୫୬ ରନ କରି ଆଉଟ ହୋଇଥିଲେ। ପରେ ସୁରେଶ ରାଇନା ୧୫ ବଲରେ ୧୭ ରନ୍ ଓ ଜାଡେଜା ୬ ବଲରେ ୭ ରନ କରି ଦଳକୁ ଜିତାଇଥିଲେ।
ବୁଧବାର ଆଇପିଏଲ୍ର ୨୩ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଦୁଇଟି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପ୍ରଥମତଃ ସେ ୫୫ ବଲରେ ୫୭ ରନ କରିଥିଲେ। ଏହା ମଧ୍ୟ ଥିଲା ଆଇପିଏଲରେ ୧୪୮ତମ ମ୍ୟାଚରୁ ୫୦ ତମ ଅର୍ଦ୍ଧଶତକ। ଏକ୍ଷେତ୍ରରେ ସେ ପ୍ରଥମ ଖେଳାଳି ଭାବେ ଆଇପିଏଲରେ ୫୦ ଅର୍ଦ୍ଧଶତକର କୀର୍ତ୍ତିମାନ ରଚିଥିଲେ। ୱାର୍ଣ୍ଣର କୀର୍ତ୍ତିମାନଭରା ପାଳି ସାଙ୍ଗକୁ ଦୁଇଟି ମ୍ୟାଚର ବ୍ୟବଧାନ ପରେ ଦଳକୁ ଫେରିଥିବା ମନୀଷ ପାଣ୍ଡେ ୪୬ ବଲରେ ୬୧ ରନ, କେନ୍ ୱିଲିୟମସନ୍ଙ୍କ ୧୦ ବଲରେ ୨୬ ରନ କରିଥିଲେ। ଏଥିସହିତ ସନ୍ରାଇଜର୍ସ ହାଇଦ୍ରାବାଦ ୩ ୱିକେଟ ସହିତ ୧୭୧ ରନ କରିଥିଲା। ମନୀଷ ଓ ୱାର୍ଣ୍ଣରଙ୍କ ମଧ୍ୟରେ ୧୧୬ ରନର ଭାଗୀଦାରି ହୋଇଥିଲା।