ଭୁବନେଶ୍ୱର, ଏନ୍ଏନ୍ଏସ୍: ୯ ଶିଳ୍ପ ପ୍ରକଳ୍ପକୁ ଓଡ଼ିଶା ସରକାରଙ୍କ ‘ସିଙ୍ଗ୍ଲ ୱିଣ୍ଡୋ କି୍ଲଅରାନ୍ସ ଅଥରିଟି’ ମଞ୍ଜୁରୀ ଦେଇଛନ୍ତି। ମୋଟ୍ ୨୫୭୦.୫୪ କୋଟି ଟଙ୍କା ଏଥିରେ ବିନିଯୋଗ ହେବ ଏବଂ ୨୭୫୫ ଜଣଙ୍କୁ କର୍ମନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି।
ବୁଧବାର ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କି୍ଲଅରାନ୍ସ ଅଥରିଟି ବୈଠକ। ଅନୁମୋଦିତ ୯ ପ୍ରକଳ୍ପ ମଧ୍ୟରେ ମେଟାଲ୍ ଓ ମେଟାଲ୍ ଡାଉନ୍ ଷ୍ଟ୍ରିମ, ମାନୁଫ୍ୟାକଚରିଂ, ପ୍ଲାଷ୍ଟିକ, ସିମେଣ୍ଟ, କେମିକାଲ ଓ ଫୁଡ୍ ପ୍ରସେସିଂ ଶିଳ୍ପ ସାମିଲ ରହିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏହି ସୂଚନା ଦେଇଥିଲେ। ପ୍ରଥମ ପ୍ରକଳ୍ପ ଭାବରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଠାରେ ୧୫ ଏମଟିପିିଏ କ୍ଷମତା ବିଶିଷ୍ଟ ବେନିଫିକେଶନ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏମଏସ୍ ଆମାଲଗମ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ ୮୮୨ କୋଟି ଟଙ୍କା ବିନିଯୋଗ କରି ଦୁଇ ପର୍ଯ୍ୟାୟରେ ତାହାକୁ ପ୍ରତିଷ୍ଠା କରିବ। ଏଥିଯୋଗୁଁ ୭୦୨ ଜଣଙ୍କୁ କର୍ମ ନିଯୁକ୍ତି ସୁବିଧା ମିଳିବ। ସେହିପରି କେନ୍ଦୁଝର ବାଂଶପାଳ ଠାରେ ଆରଡେଣ୍ଟ ଷ୍ଟିଲ ଲିମିଟେଡ୍ ୮୦.୫ କୋଟି ଟଙ୍କା ବିନିଯୋଗ କରି ୩ ଏମଟିପିଏ ଆଇରନ ଓର ସାଟେଲାଇଟ୍ ଗ୍ରାଇଣ୍ଡିଂ ୟୁନିଟ୍ ଏବଂ ୩ ଏମ୍ଟିପିଏ ସ୍ଲରି ପାଇପ୍ ଲାଇନ ପ୍ରକଳ୍ପ କରିବ। ଏଥିରେ ୬୦ ଲୋକ ପ୍ରତ୍ୟେକ୍ଷ ଭାବେ କର୍ମନିଯୁକ୍ତି ପାଇପାରିବେ। ଏମଏସ୍ ସେଫ୍ ଲାନସେଟ୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍ ୧୦୦ କୋଟି ବିନିଯୋଗ କରି ବ୍ଲେଡ୍ ଉତ୍ପାଦନ କରିବ। ତାହା ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ। ଏଥିଯୋଗୁଁ ୬୦୦ ଲୋକ ନୁଯୁକ୍ତି ସୁଯୋଗ ପାଇବେ। କମ୍ପାନୀର ବାର୍ଷିକ ଉତ୍ପାଦନ ୪୫ କୋଟି ‘ସେଭିଂ ରେଜର’ ହେବ ବୋଲି ଆକଳନ କରାଯାଇଛି। ଏମଏସ୍ ଏପସିଲନ କାର୍ବନ ଅଶୋକା ପ୍ରା.ଲିଃ ୯୦୦ କୋଟି ଟଙ୍କା ବିନିଯୋଗ କରି ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଏକ ୮.୭୫ ଲକ୍ଷ ଏମଟିପିଏ କ୍ଷମତା ସମ୍ପନ୍ନ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିରେ ୩୩୮ଙ୍କୁ ନିଯୁକ୍ତି ମିଳିପାରିବ। ଓରିଏଣ୍ଟ ପେପର ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୧୬୨ କୋଟି ବିନିଯୋଗ କରି ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ୧୨୦ ଟିପିଡି କ୍ଲୋରୋ-ଆଲକାଲି କମ୍ପେ୍ଳକ୍ସ ପ୍ରତିଷ୍ଠା କରିବ। ଏଥିରେ ବି ୩୩୮ ଲୋକ କର୍ମ ନିଯୁକ୍ତି ସୁଯୋଗ ପାଇବେ। ଏମଏସ୍ କୋଷ୍ଟାଲ ବାଓଟେକ୍ ପ୍ରା. ଲିଃ ୨୦୦ କୋଟି ବିନିଯୋଗ କରି ଗଜପତିରେ ଇଥାନେଲ ପ୍ଲାଣ୍ଟ ପ୍ରତିଷ୍ଠା କରୁଥିଲାବେଳେ ରାମକୀ ଏନଭୋ ଇଞ୍ଜିନିୟରିଂ ଲିମିଟେଡ୍ ୧୨୮.୮୦ କୋଟି ଟଙ୍କା ବ୍ୟୟରେ ରାୟଗଡ଼ାରେ ୱେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ସେହିପରି ଏମ୍ଏସ୍ ହିଲ୍ ଲିମିଟେଡ୍ କମ୍ପାନୀ ବାଲେଶ୍ୱରରେ ୬୩.୨୪ କୋଟି ବିନିଯୋଗ କରି ଏଏସି ବ୍ଲକ୍ ଓ ସିମେଣ୍ଟ ସାଣ୍ଡୱିଚ୍ ପ୍ୟାନେଲ ପ୍ରତିଷ୍ଠା କରିବ। ଉପରୋକ୍ତ ତିନି ପ୍ରକଳ୍ପରେ ଯଥାକ୍ରମେ ୪୦୦,୫୦ ଓ ୨୬୫ ଲୋକ କର୍ମ ନିଯୁକ୍ତି ସୁଯୋଗ ପାଇବେ। ଶେଷରେ ସେଞ୍ଜୁରୀ ଫାଇବର ପ୍ଲେଟସ୍ ପ୍ରା. ଲିଃ ୫୪ କୋଟି ବିନିଯୋଗ କରି ଖୋର୍ଦ୍ଧାରେ ଫାଇବର ପ୍ଲେଟ୍ସ୍ ଉତ୍ପାଦନ କରିବ। ଏଥିରେ ୨୫୦ ଲୋକ କର୍ମ ନିଯୁକ୍ତି ପାଇପାରିବେ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ, ଅନୁମୋଦିତ ୯ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆବଶ୍ୟକ ଜମି ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବେ। ପ୍ରକଳ୍ପଗୁଡ଼ିକ ଇପିକଲ ଅଧିନରେ ରହି କାର୍ଯ୍ୟ କରିବେ।