ଛଟ ପର୍ବର ପ୍ରଥମ ଅର୍ଘ୍ୟ ପ୍ରଦାନ କଲେ ଶ୍ରଦ୍ଧାଳୁ

ଦେବଗଡ଼,ଏନ୍ଏନ୍ଏସ୍: ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଆଜି ବିହାରୀ ସମ୍ପ୍ରଦାୟଙ୍କ ପବିତ୍ର ଛଟ ପର୍ବ ପାଳିତ ହୋଇଯାଇଛି । ସୂର୍ଯ୍ୟଦେବଙ୍କ ଉପାସନାର ଏହି ପର୍ବର ପ୍ରଥମ ଅର୍ଘ୍ୟ ଆଜି ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଦାନ କରାଯାଇଥିବାବେଳେ ଆସନ୍ତାକାଲି ପ୍ରତ୍ୟୁଷରୁ ଉଦିତ ସୂର୍ଯ୍ୟଙ୍କୁ ପ୍ରଦାନ ସହ ଏହି ପର୍ବର ସମାପନ କରାଯିବ। ମାନ୍ୟତା ଅନୁଯାୟୀ ସୃଷ୍ଟିର ସକଳ ଆଧାର ସୂର୍ଯ୍ୟଦେବଙ୍କ ଉପାସନା କଲେ ମଣିଷ ଶରୀରରେ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହେବାସହ ସକଳ କାର୍ଯ୍ୟ ସିଦ୍ଧି ହୋଇଥାଏ । ଅନ୍ୟପଟେ ସୂର୍ଯ୍ୟଦେବଙ୍କ ପ୍ରଥମ ପତ୍ନୀ ପ୍ରତ୍ୟୁଷାଙ୍କୁ ଛୋଟ ପୂଜା ମାଧ୍ୟମରେ ସନ୍ଧ୍ୟା ସମୟରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଇଥିବାବେଳେ ଦ୍ୱିତୀୟ ପତ୍ନୀ ଉଷାଙ୍କୁ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ସୂର୍ଯ୍ୟ ପରିବାରଙ୍କୁ ଭକ୍ତ ପୂଜାର୍ଚ୍ଚନା କରି ନିଜ ମନସ୍କାମନା ପୂର୍ଣ୍ଣ କରିଥାଏ। ଆଜି ଅପରାହ୍ନରୁ ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଆଦର୍ଶ ପୋଖରୀରେ ଛଟ ପର୍ବ ପାଳନ ପାଇଁ କମିଟୀ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିବାବେଳେ ସୂର୍ଯ୍ୟାସ୍ତ ପୂର୍ବରୁ ବ୍ରତଧାରୀମାନେ ବାଉଁଶ ଟୋକେଇରେ ପୂଜା ସାମଗ୍ରୀ ସହ ସପରିବାର ପହଂଚୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ପୋଖରୀ କୂଳରେ ଛଟ୍ ସଙ୍ଗୀତ ସହ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।