ସାଂସ୍କୃତିକ ମହୋତ୍ସବ ‘ଚଇତି’ ଆୟୋଜନ ନିମନ୍ତେ ମୁନିଗୁଡ଼ାରେ ପ୍ରସ୍ତୁତି ବୈଠକ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକରେ ଚଇତି ପରବ-୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁନିଗୁଡ଼ାରେ ସର୍ବତ୍ର ଚଇତି ଉତ୍ସବକୁ ନେଇ ଖୁସିର ମାହୋଲ ଦେଖାଦେଇଛି । ଏହି ପର୍ବକୁ କଳାକାର, କ୍ରୀଡ଼ାବିତ, ଲେଖକ, ପତ୍ରକାର, ଲୋକ ପ୍ରତିନିଧି, ପ୍ରଶାସନ ଓ ସାଧାରଣ ଜନତା ସମସ୍ତେ ଉତ୍କଣ୍ଠିତ ହୋଇ ଅପେକ୍ଷା କରିଥାନ୍ତି । ଏହି ଅବସରରେ ଚଇତି ଉତ୍ସବ ଆୟୋଜନକୁ ନେଇ ଏକ ପ୍ରସ୍ତୁତି ବୈଠକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡରୁକାଙ୍କ ଅଧ୍ୟକ୍ଷତା ଓ ବିଡିଓ ପ୍ରିତମ କୁମାର ତନ୍ତୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆଦର୍ଶ କୁସୁଲିଆ, ମୁଖ୍ୟ କିରାଣୀ ଜିତେନ୍ଦ୍ର କୁମାର ଧର, ଜିପିଓ ଭିକାରୀ ଚରଣ ମିଶ୍ର ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ଉପରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ବ୍ଲକସ୍ତରୀୟ ଚଇତି ଉତ୍ସବ ଡିସେମ୍ବର ୧୪ ତାରିଖ ସ୍ଥାନୀୟ ମୁନିଗୁଡ଼ା ମହାବିଦ୍ୟାଳୟ ପଡ଼ିଆରେ ଆୟୋଜନ କରିବା ପାଇଁ ସର୍ବସମ୍ମତି ଓ ସୁବିଧା ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଥିଲା । ସକାଳ ୭ଟାରେ ମୁନିଗୁଡ଼ା ଠାକୁରାଣୀ ମନ୍ଦିରରୁ ମଶାଲ ଯାତ୍ରା ବାହାରି ଚଇତି ମଣ୍ଡପରେ ସ୍ଥାପନ କରାଯିବ । ପରେ ମୁନିଗୁଡ଼ା ଲକ୍ଷ୍ମଣ ନାୟକ ଛକରୁ ଏକ ମାରାଥନ ରେସ ହୁକୁମାତୋଳାର ରାମେଶ୍ୱର ଶୈବପୀଠ ପର୍ଯ୍ୟନ୍ତ ଯାଇ ସେଠାରୁ ଫେରିବ । ଏଥିରେ ବିଭିନ୍ନ କ୍ରୀଡ଼ା ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବା ପାଇଁ ମଧ୍ୟ ସ୍ଥିର କରାଯାଇଛି । ପ୍ରତ୍ୟେକ ପଞ୍ଚାୟତରୁ ସାଂସ୍କୃତିକ ଦଳ ଚୟନ କରାଯାଇ ସେମାନଙ୍କୁ ବ୍ଲକ ଚଇତି ଉତ୍ସବରେ କଳା ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯିବ । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠଙ୍କୁ ଜିଲ୍ଲାସ୍ତରୀୟ ଚଇତି ମହୋତ୍ସବରେ ଭାଗ ନେବାର ସୁଯୋଗ ମିଳିବ ବୋଲି ବିଡିଓ ଶ୍ରୀ ତନ୍ତୀ ଜଣାଇଥିଲେ । ପରେ ମୁଖ୍ୟ କିରାଣି ଆଜି ଅପରାହ୍ନରେ ଚଇତି ଉତ୍ସବର ସଫଳ ଆୟୋଜନକୁ ନେଇ ବିଭିନ୍ନ କମିଟି ଗଠନ ହେବା ନେଇ ସୂଚିତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କୋରାପୁଟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଜଗନ୍ନାଥ ନୁଣ୍ଡରୁକା, ବରିଷ୍ଠ ସାମ୍ବାଦିକ ରାଜୀବ ଲୋଚନ ଦାସ, ମନୋରଞ୍ଜନ ଦଳାଇ, ନନ୍ଦକିଶୋର ପଟ୍ଟନାୟକ, ଗଣେଶ ପାତ୍ର, ରଞ୍ଜନ ସ୍ୱାଇଁ, ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି,ପଞ୍ଚାୟତ ପିଇଓ ଓ ବିଶିଷ୍ଟ ଲୋକମାନେ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।