‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସଚେତନତା

ରାଇକିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା ତରଫରୁ ଆୟୋଜିତ ଏହି ସାମାଜିକ ସଚେତନତା ରାଲିରେ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ ସଡ଼କ ସୁରକ୍ଷା, ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବର୍ଜନ, ନିଶା ନିବାରଣ, ବାଲ୍ୟ ବିବାହ, ଅନ୍ଧବିଶ୍ୱାସ ଓ କୁସଂସ୍କାର, କନ୍ୟା ସନ୍ତାନ ଓ ଭ୍ରୁଣ ହତ୍ୟା, ମହିଳା ସଶକ୍ତିକରଣ, ଯୌତୁକ ପ୍ରଥା ଓ ଘରୋଇ ହିଂସା ଭଳି ସମ୍ବେଦନଶୀଳ ଘଟଣା ସମାଜରେ ବୃଦ୍ଧି ପାଉଥିବାବେଳେ ଏହାର ପ୍ରତିକାର ପାଇଁ କିଭଳି ପଦକ୍ଷେପ ନିଆଯାଇପାରିବ ସେନେଇ ସଚେତନ କରାଇଥିଲେ । ପ୍ରଫେସର ପ୍ରଭାକର ରାଜୁ ଓ ଉମାକାନ୍ତ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଭାବେ ଯୁକ୍ତ ୩ ପାଇଁ ପ୍ରଫେସର ବେଣୁପାଣି ମହାପାତ୍ର ଓ ଯୁକ୍ତ ୨ ପାଇଁ ପ୍ରମୋଦ ନାୟକ ଦାୟିତ୍ୱ ତୁଲାଇଥିଲେ । ଏହି ରାଲି ଜୀବନ ଜ୍ୟୋତି ମହାବିଦ୍ୟାଳୟରୁ ବାହାରି ଚୂନପଲି ଛକ ଓ ବସ ଷ୍ଟାଣ୍ଡ ଆଦି ପରିକ୍ରମା କରିଥିଲା । ଅଧ୍ୟାପକ ବିଶ୍ୱବିହାରୀ ଦଳାଇ, ସନ୍ତୋଷ ନାୟକ, ସୁକାନ୍ତ ନାୟକ, ଫିରଦୋଶି ପ୍ରଧାନ ଓ ସସ୍ମିତା ଲୋହାର ପ୍ରମୁଖ ସହଯୋଗ କରିଥିଲେ ।