ସାଂସ୍କୃତିକ ଲୋକ ମହୋତ୍ସବ ‘ମଣ୍ଡେଇ’ର ୨ୟ ଦିବସ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ‘ମଣ୍ଡେଇ’ର ୨ୟ ଦିବସରେ ସଂସ୍କୃତି ଓ କଳାର ମିଳନ ଦେଖିବାକୁ ମିଳିଛି । ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପାରମ୍ପରିକ ବାଦ୍ୟ, ସଙ୍ଗୀତ ଓ ସ୍ଥାନୀୟ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟର ତାଳେ ତାଳେ ନବରଙ୍ଗପୁରର ଲୋକ ମହୋତ୍ସବ ମଣ୍ଡେଇ ୨୦୨୩ ଦୁଲୁକୁଛି । ୨ୟ ଦିନର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଓ ଦୌରାଜଜ ସଞ୍ଜୀବ କୁମାର ଦୁବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଓ ଏସପି ରୋହିତ ବର୍ମାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ସାଂସ୍କୃତିକ ଦଳ ସହ ରାଜ୍ୟ ବାହାର ତଥା ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜ କଳା ପ୍ରଦର୍ଶନ କରୁଛନ୍ତି । ତେବେ ଏହି ମଣ୍ଡେଇ ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ପଲ୍ଲିଶ୍ରୀ ମେଳା । ଚଳିତ ବର୍ଷ ଓରମାସ ପକ୍ଷରୁ ପଲ୍ଲିଶ୍ରୀ ମେଳାରେ ୩୬୦ଟି ଷ୍ଟଲ ନିର୍ମାଣ କରାଯାଇଛି । ଏହି ଷ୍ଟଲ ଗୁଡ଼ିକରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସ୍ୱୟଂ ସହାୟକ ଦଳ ପକ୍ଷରୁ ହସ୍ତକଳା ସାମଗ୍ରୀ ଓ କୁଟୀର ଶିଳ୍ପଗୁଡ଼ିକ ପ୍ରଦର୍ଶିତ ହୋଇଛି । ସେହିପରି ସରକାରୀ ସଂସ୍ଥା ଗୁଡ଼ିକ ପକ୍ଷରୁ ଯୋଜନା ଗୁଡ଼ିକର ପ୍ରଦର୍ଶନୀ କରାଯାଇ ଲୋକଙ୍କୁ ଅବଗତ କରାଯାଉଛି । ଏହାସହ ଲୋକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଫୁଡ ଷ୍ଟଲ ଓ ମିନା ବଜାରର ମଧ୍ୟ ଆୟୋଜନ କରାଯାଇଛି ।