ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ଲୋକକଳା ସଂସ୍କୃତିର ଅନନ୍ୟ ନିର୍ଦଶନ ‘ଚଇତି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁମୁଡ଼ାସ୍ଥିତ ବଂଶଧାରା ନଦୀରୁ ପବିତ୍ର ଜଳକୁ ଆବାହନ କରାଯାଇ ରାମନାଗୁଡ଼ା ନିକଟସ୍ଥ ମଙ୍ଗଳା ମନ୍ଦିରରେ ଶତାଧିକ ପୁରୁଷ ଓ ମହିଳା ବିରାଟ ପଟୁଆରରେ କଳସ ଶୋଭାଯାତ୍ରାରେ ବାହାରିଥିଲେ । ଚଇତି ପରିଚାଳନା କମିଟିର ଅଧ୍ୟକ୍ଷ ସୁଶ୍ରୀ ପ୍ରଭାତୀ ଝୋଡ଼ିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗଙ୍କ ସମେତ ବିଭିନ୍ନ ଦଳର ନେତା ଓ କର୍ମୀଙ୍କ ଦ୍ୱାରା ବିରାଟ ଶୋଭାଯାତ୍ରାରେ ଚଇତି ମଣ୍ଡପରେ ସମସ୍ତ ପୂର୍ଣ୍ଣ କଳସକୁ ସ୍ଥାପନା କରାଯାଇଥିଲା । ଏହି ଅବସରରେ ସରକାରଙ୍କ ବିଭିନ୍ନ ବିଭାଗ ପଶୁ ସମ୍ପଦ, ଶିଶୁ ବିକାଶ, ମିଶନ ଶକ୍ତି, ସ୍ୱାସ୍ଥ୍ୟ, ଉଦ୍ୟାନ ଓ କୃଷି ପକ୍ଷରୁ ୮ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା । ଏହି ଚଇତି କାର୍ଯ୍ୟକ୍ରମର ଶେଷ ସଂନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ବିଜେଡି ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ, ରାମନାଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଓ ଉପାଧ୍ୟକ୍ଷା ଜାନକୀ ନିମାଲା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକସ୍ତରରେ ଅନ୍ୟତମ ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର, ଗୁଣୁପୁର ଏସଡିପିଓ ବିକାଶ ଚନ୍ଦ୍ର ବେଉରା, ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ, ରାମନାଗୁଡ଼ା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଗୁଣୁପୁର ତହସିଲଦାର ଶରତ ଚନ୍ଦ୍ର ନାୟକ, ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତିପ୍ରଭା ପ୍ରଧାନ ଓ ପଦ୍ମପୁର ଭାରପ୍ରାପ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁଣୁପୁର ବିଧାୟକ ଶ୍ରୀ ଗମାଙ୍ଗଙ୍କ ଦ୍ୱାରା ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା ସଚେତନତା ଷ୍ଟଲର ଶୁଭ ଉଦଘାଟନ କରାଯାଇଥିଲା । ଲୁକ୍କାୟିତ ପ୍ରତିଭା, ସଂସ୍କୃତି ଓ ପରମ୍ପରା ଗୁଡ଼ିକର ବ୍ଲକଠାରୁ ରାଜ୍ୟ ସ୍ତରରେ ଉନ୍ମୋଚନ ନିମନ୍ତେ ଚଇତି ଏକ ଉତ୍କୃଷ୍ଟ ମଞ୍ଚ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ଅତିଥିମାନେ ଉପସ୍ଥିତ ରହି ବ୍ଲକସ୍ତରୀୟ ଗଣପର୍ବ ଚଇତିରେ ଭାଗନେଇ ନୃତ୍ୟ ପରିବେଷଣ କରିଥିବା କଳାକାରଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତରୁ କଳାକାରମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ଓଡ଼ିଶା ଜୀବିକା ମିଶନର ସମସ୍ତ କର୍ମଚାରୀଙ୍କ ସହ ପଞ୍ଚାୟତ ସମିତି କର୍ମକର୍ତ୍ତା ସହଯୋଗ କରିଥିଲେ । ସେହିପରି ସାମାଜିକ ସେବାରେ ଉତ୍ତମ ପ୍ରଦର୍ଶନ ଅବଦାନ ନିମନ୍ତେ ଶିକ୍ଷକ ବୃନ୍ଦାବନ ମିଣିଆକା, ସମାଜସେବୀ ଗୋଲକ ନାଥ ବେହେରା, ଅନ୍ତର୍ଜାତୀୟ ରଗବି ଖେଳାଳୀ ସୋନି ମାଣ୍ଡାଙ୍ଗି, ଶ୍ରବଣ କୁମାର ମାଣ୍ଡାଙ୍ଗି, ଜୁଲୋଜି ଅଧ୍ୟାପିକା ନିରୂପମା କଣ୍ଡାଗରୀ, କରୁଣାକର ବେହେରା ଓ ବୃନ୍ଦାବନ ପୁରୁଷୋତ୍ତମଙ୍କ ସହ ୨୦ ପ୍ରତିଭାଙ୍କୁ ଉପଢ଼ୌକନ ପ୍ରଦାନ ସହ ମାନପତ୍ର ଦେଇ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ଲୋକକଳା ମହୋତ୍ସବ ଚଇତିକୁ ବିଡ଼ିଓ ସୁଶ୍ରୀ ଝୋଡ଼ିଆଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସାମ୍ବାଦିକ ସଞ୍ଜୟ ପ୍ରଧାନ, ଆନନ୍ଦ ପରିଛା, ସୁଣ୍ଡିଢ଼ା ମୁଣି ସମିତି ସଭ୍ୟ କମଳଲୋଚନ ମୁଟ୍ଟିକା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ ପ୍ରମୁଖ ପରିଚାଳନା କରିଥିବାବେଳେ ବ୍ଲକସ୍ତରୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।