ନିର୍ଣ୍ଣାୟକ ମୋଡ଼ରେ ସେଞ୍ଚୁରିଅନ୍‌ ଟେଷ୍ଟ୍‌

ଲକ୍ଷ୍ୟ ୩୦୫; ଦକ୍ଷିଣ ଆଫ୍ରିକା ୯୪/୪

ସେଞ୍ଚୁରିଅନ୍‌: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିବସରେ ଭାରତ ପ୍ରଥମ ପାଳିର ମାତ୍ର ୩ ୱିକେଟ୍‌ ଝଡ଼ିଥିଲା। ଏହାପରେ ଦ୍ବିତୟ ଦିବସକୁ ବର୍ଷା ଓ ଓଦା ପଡ଼ିଆ ପୂରା ଧୋଇନେଇଥିଲା। କିନ୍ତୁ ତୃତୀୟ ଦିବସରେ ୧୮ ୱିକେଟ୍‌ର ପତନ ଘଟିବା ପରେ ବୁଧବାର ଚତୁର୍ଥ ଦିବସରେ ୧୨ ୱିକେଟ୍‌ ଝଡ଼ିଯାଇଛି। ଫଳରେ ଏହି ଟେଷ୍ଟ୍‌ ପଞ୍ଚମ ତଥା ଶେଷ ଦିନକୁ ଟାଣି ହୋଇଯାଇଥିଲା ବେଳେ ମ୍ୟାଚ୍‌ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଯାଇଛି।

ପ୍ରଥମ ପାଳିରେ ୩୨୭ ରନ୍‌ କରିବା ପରେ ଘରୋଇ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିକୁ ୧୯୭ରେ ସଫା କରିଦେଇଥିଲା ଭାରତ। ଏଥି ସହିତ ୧୩୦ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ବୁଧବାର ଦ୍ବିତୀୟ ପାଳିରେ ମାତ୍ର ୧୭୪ ରନ୍‌ କରିପାରିଥିବା ସତ୍ତ୍ବେ ଭାରତ ମୋଟ ଉପରେ ୩୦୪ ରନ୍‌ରେ ଆଗୁଆ ରହିଥିଲା। ଏଥି ସହିତ ଘରୋଇ ଦଳ ସମ୍ମୁଖରେ ୩୦୫ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୪ ୱିକେଟ୍‌ ହରାଇ ୯୪ ରନ୍‌ କରିନେଇଛି। ଫଳରେ ଶେଷ ଦିନରେ ବିଜୟ ପାଇଁ ଭାରତକୁ ୬ ୱିକେଟ୍‌ ଏବଂ ଦକ୍ଷିଣ ଆଫ୍ରିକାକୁ ୨୧୧ ରନ୍‌ର ଆବଶ୍ୟକତା ରହିଛି।

ଦକ୍ଷିଣ ଆଫ୍ରିକା ମାତ୍ର ଥରେ ଘରୋଇ ଟେଷ୍ଟ୍‌ରେ ଚତୁର୍ଥ ପାଳିରେ ୩୦୦+ ସ୍କୋର୍‌କୁ ପିଛା କରି ସଫଳ ହୋଇଥିଲା। ୨୦୦୧/୨୦୦୨ରେ ଡର୍ବାନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଦଳ ୩୩୫ ରନ୍‌କୁ ପିଛା କରି ବିଜୟୀ ହୋଇଥିଲା। ହେଲେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଏକମାତ୍ର ଦଳ ଯିଏକି ୩୦୦+ ଲକ୍ଷ୍ୟକୁ ଥରେ ମାତ୍ର ସଫଳତାର ସହ ପିଛା କରିବାର ପରିସଂଖ୍ୟାନ ରହିଛି। ୧୯୭୭/୭୮ରେ ପର୍ଥ‌ରେ ଭାରତର ୩୩୯ ରନ୍‌ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ହିଁ ପିଛା କରି ମ୍ୟାଚ୍‌ ଜିତି ନେଇଥିଲା। ଅନ୍ୟ କୌଣସି ଦଳ ଏପର୍ଯ୍ୟନ୍ତ ଭାରତର ଏହି ସ୍କୋର୍‌କୁ ପିଛା କରିବାରେ ସମର୍ଥ ହୋଇନାହାନ୍ତି।

ବୁଧବାର ପୂର୍ବଦିନ ସ୍କୋର୍‌ ୧୬/୧ରୁ ଖେଳିଥିବା ଭାରତକୁ ଘରୋଇ ଦଳର ଦ୍ରୁତ ବୋଲରମାନେ କ୍ରିଜ୍‌ରେ ଜମି ରହିବାକୁ ଦେଇନଥିଲେ। ବିଶେଷକରି କାଗିସୋ ରବାଦା (୪/୪୨), ମାର୍କୋ ଜାନ୍‌ସେନ୍‌ (୪/୫୫) ଏବଂ ଲୁଙ୍ଗି ଏନ୍‌ଗିଡ଼ି (୨/୩୧) ଘାତକ ବୋଲିଂ କରି ଭାରତ ଦ୍ବିତୀୟ ପାଳିର ୧୦ ୱିକେଟ୍‌ ବାଣ୍ଟି ନେଇଥିଲେ। ପ୍ରଥମ ପାଳିର ଶତକ ହାସଲକାରୀ କେଏଲ୍‌ ରାହୁଲ (୨୩ ରନ୍‌, ୭୪ ବଲ୍‌)ଙ୍କ ଧୈର୍ଯ୍ୟପୂର୍ଣ୍ଣ ଦ୍ବିତୀୟ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ ଏନ୍‌ଗିଡ଼ି। ଏହାପରେ ଋଷଭ ପନ୍ତ୍‌ (୩୪), ଆଜିଙ୍କ୍ୟ ରାହାଣେ (୨୦), ବିରାଟ କୋହଲି (୧୮), ଚେତେଶ୍ବର ପୂଜାରା (୧୬), ଆର୍‌ ଅଶ୍ବିନ୍‌ (୧୪) ଏବଂ ଶାର୍ଦୁଳ ଠାକୁର (୧୦) ଦୁଇ ଅଙ୍କ ଛୁଇଁଥିଲେ ମଧ୍ୟ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ। ବିଶେଷକରି ୧୮ ଓଭର ମଧ୍ୟରେ ଶେଷ ୭ ୱିକେଟ୍‌ ହରାଇ ଦେଇଥିଲା। ଅବଶ୍ୟ ଏଥିରେ ୯୫ ରନ୍‌ ଯୋଡ଼ିବାରୁ ୩୦୦ରୁ ଅଧିକ ସ୍କୋର୍‌ର ଲକ୍ଷ୍ୟ ଛାଡ଼ିଥିଲା।