ନୂଆବର୍ଷରେ ଭିଜିବ ଓଡିଶା, ୮ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆବର୍ଷରେ ଭିଜିବ ଓଡିଶା। ରାଜ୍ୟର ୮ ଜିଲ୍ଲାରେ ଆଗକୁ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୮ ଜିଲ୍ଲାକୁ ସତର୍କ କରାଯାଇଛି। ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଆଦି ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି।

ଏହାସହିତ ଆଗାମୀ ଦୁଇ ଦିନ ଅଧା ଓଡିଶା ଘନ କୁହୁଡି ବଳୟରେ ରହିପାରେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ପଡିବ। ଶୁକ୍ରବାର ସକାଳ ମଧ୍ୟରେ ସୁନ୍‌ଗରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କଟକ ଜିଲ୍ଲାର ଅଧିକାଂଶ ସ୍ଥାନରେ ଘନ କୁହୁଡି ହେବ।

ସେହିପରି ଶୁକ୍ରବାର ରାତିରୁ ଶନିବାର ସକାଳ ମଧ୍ୟରେ ଉପକୂଳ ଓଡିଶାର ସମସ୍ତ ଜିଲ୍ଲା ସମେତ ବୌଦ୍ଧ, ଅନୁଗୁଳ, କନ୍ଧମାଳ, ନୟାଗଡ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘନ କୁହୁଡି ପଡିବ। ରାସ୍ତା ଠିକ ଭାବେ ଦୃଶ୍ୟମାନ ହେବ ନାହିଁ। ପ୍ରବଳ ବର୍ଷା ହେବାକୁ ଥିବାରୁ ଅମଳ ହୋଇ ଖଳାରେ ପଡିଥିବା ଫସଲକୁ ଘୋଡାଇ ରଖିବାକି ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।