କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ୨ ଦିନଆ କନ୍ଧମାଳ ଗସ୍ତ

ବାଲିଗୁଡ଼ା, ଏନ୍‌ଏନ୍‌ଏସ୍‌: କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ୨ ଦିନଆ କନ୍ଧମାଳ ଗସ୍ତରେ ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀ ମେ’ ୨୯ ସନ୍ଧ୍ୟାରେ ବାଲିଗୁଡ଼ାରେ ପହଞ୍ଚି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ରାତ୍ରିଯାପନ କରିବେ । ମେ’ ୩୦ ସକାଳ ୯ଟାରେ ରାଇକିଆ ଅଭିମୁଖେ ଯାଇ ୧୦ଟାରେ ଗମାଣ୍ଡି ନିକଟରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଭିତ୍ତପ୍ରସ୍ତର ଦେବାସହ ଏକ ସାଧାରଣ ସଭାରେ ଯୋଗଦେବେ । ଜି.ଉଦୟଗିରି ଅଭିମୁଖେ ଯାଇ ଦିବା ୧୧ଟା ବେଳେ ଜି.ଉଦୟଗିରିରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ସାଧାରଣ ସଭାରେ ମଧ୍ୟ ଯୋଗଦେବେ । ପରେ ସେ ପୁରୀ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଥିବା କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସୂଚୀ ମିଳିଛି ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କହିଛନ୍ତି । ଏହାସତ୍ୱେ ମଧ୍ୟ ଜିଲ୍ଲାର ଆଉ ୫ଟି ଏକଲବ୍ୟ ବିଦ୍ୟାଳୟ ପାଇଁ ଜିଲ୍ଲା ପ୍ରଶାସନ ଜାଗା ପ୍ରଦାନ କରିନଥିବାରୁ ବର୍ତ୍ତମାନ ମନ୍ତ୍ରୀ ଭିତ୍ତିପ୍ରସ୍ତର ଦେଇ ପାରୁନଥିବା ଶ୍ରୀ ମାଝୀ କହିଛନ୍ତି । କନ୍ଧମାଳ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ମଞ୍ଜୁର ହେଇଥିବାବେଳେ କେବଳ ଗୋଟିଏ ତୁମୁଡ଼ିବନ୍ଧର ଭିତ୍ତିପ୍ରସ୍ତର ସାରି କାମ ଆରମ୍ଭ ହୋଇଛି । ଅନ୍ୟ ୭ଟି କୋଟଗଡ଼, କ. ନୂଆଗାଁ ବ୍ଲକର ସାରଙ୍ଗଗଡ଼, ଜି.ଉଦୟଗିରି, ଦାରିଙ୍ଗବାଡ଼ି, ରାଇକିଆ, ଟିକାବାଲି ଓ ଫୁଲବାଣୀ ରହିଛି । ଖୁବଶୀଘ୍ର କାମ ଆରମ୍ଭ କରିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଶ୍ରୀ ଟୁଡୁଙ୍କ ପାଖରେ ଏପ୍ରିଲରେ ଦିଲ୍ଲୀ ଯାଇ ଦାବୀ କରିଥିଲେ । ମନ୍ତ୍ରୀ ଜିଲ୍ଲାର ଅନ୍ୟ ୭ଟି ବିଦ୍ୟାଳୟରେ ମଧ୍ୟ ଭିତ୍ତିପ୍ରସ୍ତର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।