ଆଉ ୧୫୮ ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ; ୫-ଟି ସମ୍ପର୍କରେ ଶିକ୍ଷକ, ପିଲାଙ୍କୁ ବୁଝାଇଲେ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆଉ ୫ ଜିଲ୍ଲାରେ ୧୫୮ ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି। ଏଥିରେ ମାଲକାନଗିରିର ୬ଟି, ଝାରସୁଗୁଡ଼ାର ୨୫ଟି, କଳାହାଣ୍ଡିର ୨୯ଟି, ମୟୂରଭଞ୍ଜର ୬୦ଟି ଓ ଖୋର୍ଦ୍ଧାର ୩୮ଟି ସ୍କୁଲ ସାମିଲ ରହିଛି। ଚତୁର୍ଥ ଦିବସ ସୁଦ୍ଧା ୬୮୯ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି। ଏଥିଯୋଗୁଁ ସହର-ଗାଁ ଭିତରେ ତଫାତ୍ ଦୁର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରଛନ୍ତି।

୫-ଟି ଅଧିନସ୍ଥ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୫ଟି ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ବର୍ତ୍ତମାନ ଜାରି ରହିଛି। ଏହି ମଧ୍ୟରେ ୬୮୯ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇସାରିଛି। ଏହି କାର୍ଯ୍ୟକ୍ରମ ନଭେମ୍ବର ୨୪ ଯାଏଁ ଚାଲିବ। ଏଥିରେ ସ୍ଥାନୀୟ ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକଙ୍କ ବିଶେଷ ଭୂମିକା ରହିଛି। ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି। ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ୱପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ୫-ଟି ନୀତି ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଉଛି, ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ୍‌, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି। ମୋର ପୁରା ବିଶ୍ୱାସ ପିଲାମାନେ ଭଲ ପାଠ ପଢି ଭଲ କାମ କରିବେ। ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।

୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ମାଲକାନଗିରିର ପାପୁନି ମାଣ୍ଡି, ଝାରସୁଗୁଡ଼ାର ଶାଳିନୀ ତ୍ରିପାଠୀ, କଳାହାଣ୍ଡିର କୁମୁଦିନୀ ବନ୍ଦିଛୋଡ, ମୟୂରଭଞ୍ଜର ମଧୁସ୍ମିତା ସାହୁ ଏବଂ ଖୋର୍ଦ୍ଧା ଜିଲ୍ଲାର ଉଦୟ ପ୍ରକାଶ ବେହେରା ପ୍ରମୁଖ ଛାତ୍ରଛାତ୍ରୀ ଏହି ଆଲୋଚନାରେ ଭାଗ ନେଇଥିଲେ। ଅଧିକାଂଶ ଡାକ୍ତର, ଇଞ୍ଜିନଅର ଓ ଆଇଏଏସ୍ ହେବା ପାଇଁ ସ୍ୱପ୍ନ ଦେଖିଥିଲାବେଳେ ଆଉ କିଛି ସାମ୍ବାଦିକ ହେବେ ବୋଲି ମତ ରଖିିଥିଲେ।

କାର୍ଯ୍ୟକ୍ରମରେ ମାଲକାନଗିରିରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଝାରସୁଗୁଡାରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, କଳାହାଣ୍ଡିରେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୟୂରଭଞ୍ଜରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ଖୋର୍ଦ୍ଧାରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଏହି ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଓ କଟକ-ଭୁବନେଶ୍ୱରର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜର ସଫଳତାରେ ସ୍କୁଲର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି କେ ପାଣ୍ଡିଆନ ପରିଚାଳନା କରିଥିଲେ। ଉପରୋକ୍ତ ଦୁଇ ପଦସ୍ଥ ଅଧିକାରୀଙ୍କ ଅଭିଜ୍ଞତା ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ସହାୟକ ହେବ ବୋଲି ଶ୍ରୀ ପାଣ୍ଡିଆନ ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସଂପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ଉନ୍ନୟନ କମିଶନର ପି କେ ଜେନା ଓ କୃଷି ଉତ୍ପାଦନ କମିସନର ଆର କେ ଶର୍ମା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବମାନେ ଉପସ୍ଥିତ ଥିଲେ।