ରାସ୍ତାକଡ଼ରେ ନିଆଁ ପୁଉଁ ଥିବା ବେଳେ ମାଡ଼ିଗଲା କାର: ୭ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପାଳକୁଦର ଗ୍ରାମରେ ସଡ଼କ ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରିରେ ପାଳକୁଦର ଗ୍ରାମର କେତେକ ଯୁବକ ରାସ୍ତା କଡ଼ରେ ନିଆଁ ପୁଉଁ ଥିବାବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ କାର (ଓଡ଼ି-୧୭ଏ-୯୦୯୦) ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡିଯାଇ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ପ୍ରତାପ ବାଗ, ପ୍ରକାଶ ବାଗ, ଦିଲ୍ଲୀପ ଭୈନ୍ସା, ପରୀକ୍ଷିତ ବାଗ, ଅରୁଣ ବାଗ ଓ ଉମେଶ ବାଗ ନାମକ ୬ ଜଣ ଯୁବକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ବାକି ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଘଟାଇଥିବା କାର ଏକ ବିବାହ ଉତ୍ସବରେ ଯୋଗଦେଇ ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଅନ୍ୟପଟେ ଦୁର୍ଘଟଣାରେ କାରରେ ଥିବା ଡ୍ରାଇଭର୍ ଓ ଅନ୍ୟ ୨ ଜଣ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।