ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅର୍ଜୁନପୁର ଛକ ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବ ଏକ ଟେଲିଫୋନ ମରାମତି ପାଇଁ ବ୍ୟବହାର ହେଉଥିବା ଗାଡିକୁ ଏକ କାର ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ଶୁଭ୍ରାଂଶୁ ଯୋଷୀ ବୋଲି ଜଣାପଡିଛି। ସେହିପରି ଆହତ ଜଣଙ୍କ ଘର ସମ୍ବଲପୁରରେ ତାଙ୍କ ନାଁ ବିକାଶ ରାଏ ବୋଲି ଜଣାପଡିଛି। ଶୁଭ୍ରାଂଶୁ ଏବଂ ବିକାଶ ଏକ କାର ଯୋଗେ ଭୁବନେଶ୍ୱରରୁ ବଲାଙ୍ଗିରକୁ ଯାଉଥିଲେ।
କାରଟି ଭାରସାମ୍ୟ ହରାଇ ଟେଲିଫୋନ ମରାମତି ପାଇଁ ରାସ୍ତା କଡରେ ଛିଡା ହୋଇଥିବା ଡ୍ରିଲର ଗାଡି ସହିତ ଯୋରରେ ଧକ୍କା ହୋଇଥିଲା। ଫଳରେ କାରଟି ୨ ଫାଳ ହୋଇଯାଇଥିବା ଦେଖିବାକୁ ମିଳିଛି। ଗାଡିରେ ବସିଥିବା ଦୁଇ ଜଣଙ୍କୁ ଗରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ସେଠାରେ ଶୁଭ୍ରାଂଶୁଙ୍କୁ ମୃତ ଘୋଷଣା କରିଥିଲେ। ବିକାଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।