ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କୁଶପଙ୍ଗା ଗ୍ରାମ ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ କାରଟି ସମ୍ପୂର୍ଣ୍ଣ ଜଳିଯାଇ ଥିବା ବେଳେ କାରରେ ଥିବା ୨ ଯୁବକ ଗୁରୁତର ଆହତ ହୋଇଛନ୍ତି।
ପୁଲିସ ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ କାରଟି ଅନୁଗୁଳ ପଟୁ ଦେବଗଡ଼ ଅଭିମୁଖେ ଆସୁଥିଲା। କୁଶପଙ୍ଗା ଗ୍ରାମ ଦେଇଯାଇଥିବା ରାଂଚି-ବିଜୟୱାଡା ଜାତୀୟ ରାଜପଥର ଏକ ବୁଲାଣିରେ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଗୁରୁତର ହୋଇଥିବା ଚାଳକ ଢେଙ୍କାନାଳ ଜିଲ୍ଲା ନିମବାହାଳ ଗ୍ରାମର ଋଷବ ନାୟକ(୩୧) ଓ ସୌମ୍ୟରଞ୍ଜନ ଦାସ (୨୯)। ସେମାନେ ଗାଡିରେ ଗୁରୁତର ଅବସ୍ଥାରେ ଫଶି ରହିଥିଲେ।
ଗାଡ଼ିରେ ନିଆଁ ଲାଗିଯିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀ ଗାଡି ନିଆଁକୁ ଆୟତ୍ତ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।