ପାତାଳି ନଦୀକୁ ଖସିଲା କାର୍ ଓ ଅଟୋ, ଯୁବତୀଙ୍କ ମୃତଦେହ ଉଦ୍ଧାର

କୋରାପୁଟ,ଏନ୍ଏନ୍ଏସ୍: ମଙ୍ଗଳବାର ସନ୍ଧ୍ୟାରେ ପାଡୁଆ ଥାନା ଦାର୍ଲିପୁଟ ନିକଟରେ ଏକ କାର୍ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଗାଡି ପାତାଳି ନଦୀକୁ ଖସି ପଡିଥିଲା। ଫଳରେ କାରରେ ଥିବା ଜଣେ ଯୁବତୀ ମୃତ୍ୟୁ ବରଣ କରିଥିବାବେଳେ କାର୍ ଡ୍ରାଇଭର ନିଖୋଜ ରହିଛନ୍ତି। ଅନ୍ୟପଟେ ଅଟୋରିକ୍ସାରେ ଥିବା ୪ ଜଣ ପହଁରି ପହଁରି କୂଳରେ ସୁରକ୍ଷିତ ପହଞ୍ଚି ଯାଇଛନ୍ତି। ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶ ଯାଉଥିବା ଏକ କାର୍ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଦାର୍ଲିପୁଟ ନିକଟରେ ସମ୍ମୁଖରୁ ଆସୁଥିବା ଏକ ଅଟୋରିକ୍ସା ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ କାର୍ ଓ ଅଟୋ ପାତାଳି ନଦୀକୁ ଖସି ପଡିଥିବାବେଳେ ଅଟୋରେ ଥିବା ୪ଜଣ ପହଁରି ପହଁରି କୁଳକୁ ଫେରିଥିଲେ। ଖବରପାଇ ପାଡୁଆ ପୁଲିସ୍ ଓ ନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କାରରେ ଥିବା ଜଣେ ଯୁବତୀଙ୍କ ମୃତଦେହ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିବାବେଳେ କାର୍ ଡ୍ରାଇଭର ନିଖୋଜ ରହିଛନ୍ତି। କାର୍ ଓ ଅଟୋରିକ୍ସା ନଦୀରେ ବୁଡି ରହିଥିବାବେଳେ ଅନ୍ଧାର ହେତୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରହିଥିବା ଜଣାପଡିଛି। ତେବେ ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ।