ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ

ମୁନିଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ବାଲିପଦର ନିଜ ଶ୍ୱଶୂର ଘରୁ ଭୋଜି ଖାଇ ମୁନିଗୁଡା ବ୍ଲକ୍ ଅଶୁରପଡ଼ା ଗ୍ରାମ ଘରକୁ ଫେରୁଥିବା ବେଳେ ଜ୍ୱାଇଁଙ୍କ ଦୁର୍ଘଟଣାରେ ମୃତ୍ୟ ହୋଇଛି। ଘଟଣାରୁ ପ୍ରକାଶ ଯେ ରଇଦାସ ଗରଡ଼ିଆ(୩୦) ମଙ୍ଗଳବାର ଦିନ ସନ୍ଧ୍ୟାରେ ନିଜ ଶ୍ୱଶୂର ଘର ବିଷମକଟକ ବ୍ଲକ୍ ବାଲିପଦର ଯାଇଥିଲେ। ଆଜି ଅପରାହ୍ଣ ୬ଟା ବେଳେ ସେ ନିଜ ଗ୍ରାମ ମୁନିଗୁଡା ବ୍ଲକ୍ ଅସୁରପଡ଼ାକୁ ବାଇକ ଯୋଗେ ଫେରୁଥିବା ବେଳେ ମୁନିଗୁଡାର ନିର୍ମାଣଧୀନ ମିନି ଷ୍ଟାଡିୟମ ନିକଟସ୍ଥ ମୁଖ୍ୟ ରାସ୍ତାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା।

ଆଘାତ ଏତେ ଭୟଙ୍କର ଥିଲା ଯେ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଆହତ ଅବସ୍ଥାରେ ରଇଦାସ ରାସ୍ତା କଡରେ ପଡି ରହିଥିବା ଖବରପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ, ଥାନା ଆଇଆଇସି ସୁଜ୍ଞାନୀ ସାହୁ, ଏସଆଇ ଚନ୍ଦ୍ରମା ଶବର, ନୃସିଂହ ବେହେରା, କନେଷ୍ଟବଳ ନିରଞ୍ଜନ ଦାସ, ରବି ବିଡିକା ପ୍ରମୁଖଙ୍କ ସମେତ ଅନ୍ୟ ଷ୍ଟାଫ୍ ମାନେ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଗୁରୁତର ରଇଦାସକୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ତେବେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ରଇଦାସ ଗରଡ଼ିଆଙ୍କ ପରିବାରର ଠିକଣା ତା ପ୍ୟାକେଟରେ ଥିବା ପରିଚୟ ପତ୍ରରୁ ଜଣାପଡିବା ପରେ ତାଙ୍କ ଘରକୁ ପୁଲିସ ପକ୍ଷରୁ ଖବର ଦିଆଯାଇଥିଲା। ଧକ୍କା ଦେଇଥିବା ଅଜଣା ଗାଡିକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।