ନୀତିଶ କୁମାରଙ୍କୁ ପିଆଜ ମାଡ଼

ମଧୁବନୀ,ଏଜେନ୍ସି: ବିହାରରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜାରିରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ନିର୍ବାଚନ ପ୍ରଚାର କଲାବେଳେ ଜନଆକ୍ରୋଶର ଶିକାର ହୋଇଛନ୍ତି । ସେ ଏକ ରାଲିରେ ସମ୍ବୋଧନ କରୁଥିବା ବେଳେ ଲୋକମାନେ ତାଙ୍କ ଉପରକୁ ପିଆଜ ମାଡ କରିଥିଲେ । ତେବେ ତାଙ୍କ ଉପରେ ପଥରମାଡ କରାଯାଇଥିଲା ବୋଲି ଏହା ପୂର୍ବରୁ ଖବର ପ୍ରଚାରିତ ହୋଇଥିଲା । ପିଆଜର ଦର ଅହେତୁକ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପିଆଜ ଫିଙ୍ଗି ଏଭଳି ବିରୋଧ ପ୍ରଦର୍ଶନ କରିଥିବା କୁହାଯାଉଛି । ମଙ୍ଗଳବାର ନିତିଶ କୁମାର ମଧୁବନୀ ଜିଲ୍ଲାର ହରଲାଖୀରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ ।

ଏଠାରେ ନିତିଶ କୁମାର ଯେତେବେଳେ ନିଯୁକ୍ତି ପ୍ରସଙ୍ଗରେ ଭାଷଣ ଦେଉଥିଲେ ସେତେବେଳେ ତାଙ୍କ ବିରୋଧରେ ଲୋକମାନେ ନାରାବାଜୀ କରିଥିଲେ । ଏହା ପରେ ଭିଡ ମଧ୍ୟରୁ କିଛି ଲୋକ ତାଙ୍କୁ ପିଆଜ ମାଡ କରିଥିଲେ । ଏହା ଦେଖି ମଞ୍ଚ ଉପରେ ଭାଷଣ ଦେଉଥିବା ନିତିଶ କୁମାର କିଛି ସମୟ ଅଟକି ଯାଇଥିଲେ । ଏହାପରେ ସେ ଲୋକମାନଙ୍କୁ ଯାହା ଫିଙ୍ଗିବାର ଅଛି ଫିଙ୍ଗ ଓ ଏହାକୁ ସେ ସ୍ୱାଗତ କରୁଛନ୍ତି ବୋଲି କହିଥିଲେ । ସେହିପରି ପିଆଜ ମାଡ ହେବା କ୍ଷଣି ମଞ୍ଚରେ ଥିବା ସୁରକ୍ଷାକର୍ମୀମାନେ ନିତିଶ କୁମାରଙ୍କୁ କଭର କରି ନେଇଥିଲେ । କିନ୍ତୁ ଏହା ପରେ କୌଣସି ପ୍ରକାରର ପିଆଜ ମାଡ ହୋଇନଥିଲା । ଏହା ପୂର୍ବରୁ ମୁଜାଫରପୁର ଠାରେ ଆୟୋଜିତ ଏକ ରାଲିରେ ନିତିଶ କୁମାରଙ୍କୁ ଜଣେ ଯୁବକ ଚପଲ ମାଡ କରିଥିଲେ ।