ହସ୍ପିଟାଲ ବାହାରେ ମହିଳାଙ୍କ ପ୍ରସବ ଘଟଣା: ‘ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ’

ଭୁବନେଶ୍ୱର,ଏନ୍ଏନ୍ଏସ୍:  ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ବାହାରେ ଜଣେ ମହିଳା ପ୍ରସବ କରିବା ଘଟଣାର ଅନୁଧ୍ୟାନ କରାଯିବ ଏବଂ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ହସ୍ପିଟାଲ ସୁପରିଟେଣ୍ଡେଂଟ ନାରାୟଣ ସେଠୀ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ସାଲିଆସାହିର ସମ୍ପୃକ୍ତ ଗର୍ଭବତୀ ମହିଳା ଶୁକ୍ରବାର ରାତିରେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ତାଙ୍କୁ ଲେବର ରୁମ୍ କୁ ଅଣାଯାଇଥିଲା । ତାଙ୍କର ପ୍ରସବ ବେଦନା ନହେବାରୁ ସେ ଚାଲିଯାଇଥିଲେ ।  ଘରେ ପହଂଚିବା ପରେ ଯନ୍ତ୍ରଣା ହେବାରୁ ସେ ପୁଣି ହସ୍ପିଟାଲ ଆସିଥିଲେ  । ହସ୍ପିଟାଲ କ୍ୟାମ୍ପସ୍ ରେ ଥିବା ଔଷଧ ଦୋକାନ ପାଖରେ ତାଙ୍କର ପ୍ରସବ ହୋଇଥିବା ସେ ଜାଣିବାକୁ ପାଇଛନ୍ତି । ତେବେ ସେ ସମୟରେ ଡାକ୍ତର କିଏ ଥିଲେ ତାଙ୍କ ନାମ ସେ କହିପାରି ନାହାନ୍ତି । ଏସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ମହିଳାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ମହିଳା ଜଣକ ଡେଲିଭରି ପାଇଁ କ୍ୟାପିଟାଲ  ହସ୍ପିଟାଲ ଆସିଥିଲେ  । ମାତ୍ର ଦାୟିତ୍ୱରେ ଥିବା ଡାକ୍ତର ସ୍ଥିତି ସଂକଟାପନ୍ନ ଥିବା ଜଣାଇ କଟକ ନେଇବାକୁ କହି ଫେରାଇ ଦେଇଥିଲେ ।